ପୁରୀ: ଆସନ୍ତା ୨୦୨୪ ରଥଯାତ୍ରାରେ ଖୋଲା ଯିବ ରତ୍ନଭଣ୍ଡାର । ରତ୍ନଭଣ୍ଡାରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ଗଣନା କରାଯିବ । କାରଣ ରଥଯାତ୍ରା ପରେ କିଛି ସେଭଳି କୌଣସି ବିଶେଷ ପର୍ବପର୍ବାଣୀ ନଥାଲ ତେଣୁ ଏହି ସମୟରେ ଖୋଲା ଯିବା ସଠିକ ସମୟ କହିଛନ୍ତି ଗଜପତି ମହାରାଜା । ଅନେକ ରତ୍ନ ଭଣ୍ଡାର ଖୋଲିବା ନେଇ ଗଜପତି ମହାରାଜାଙ୍କୁ ଭେଟି ଜଣାଇବା ପରେ ଗତକାଲି ପ୍ରେସ ବିବୃତ୍ତି ମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଗଜପତି ମହାରାଜା ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଉ। ସେଠାରେ ଗଚ୍ଛିତ ଥିବା ମୂଲ୍ୟବାନ ସମ୍ପତ୍ତିର ଗଣତି କରାଯାଉ। ଏହାସହ ଏଏସଆଇ ଦ୍ୱାରା ରତ୍ନଭଣ୍ଡାର ମରାମତି ସମ୍ପର୍କିତ କାର୍ୟ୍ୟ କରାଯାଉ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।
ଗଜପତି ମହାରାଜ କହିଛନ୍ତି, ଏହି କାର୍ଯ୍ୟପାଇଁ ରଥଯାତ୍ରା ହିଁ ପ୍ରକୃଷ୍ଟ ମସୟ ହୋଇପାରିବ। କାରଣ ଏହାପରେ କିଛି ମାସ ମଧ୍ୟରେ ସେଭଳି କୌଣସି ବିଶେଷ ପର୍ବପର୍ବାଣୀ ନଥାଏ। ଯାତ୍ରୀ ଏବଂ ଦର୍ଶନାର୍ଥୀଙ୍କ ସଂଖ୍ୟା ମଧ୍ୟ ଅପେକ୍ଷାକୃତ କମ୍ ଥାଏ। ବର୍ତ୍ତମାନ ସମୟରେ କିମ୍ବା ଆଗାମୀ କିଛି ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ଉଚିତ ହେବନି। ଆସନ୍ତା ରଥଯାତ୍ରା ପୂର୍ବରୁ ରତ୍ନ ଭଣ୍ଡାର ଖୋଲାଗଲେ ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବାପୂଜା ପ୍ରଭାବିତ ହୋଇପାରେ। ଏଥିସହ ଶ୍ରୀମନ୍ଦିରରେ ଏବେ ଭକ୍ତଙ୍କ ସମାଗମ ହେଉଥିବାରୁ ଦର୍ଶନରେ ମଧ୍ୟ ବାଧା ଉପୁଜିପାରେ। ଗଜପତି ପ୍ରେସ ବିବୃତ୍ତିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଇଝଓ ଅଧିକ୍ଷକ ଯଥାଶୀଘ୍ର ରତ୍ନଭଣ୍ଡାର କାନ୍ଥର ଲେଜର ସ୍କାନିଂ କରିବେ। ରତ୍ନଭଣ୍ଡାରର ବର୍ତ୍ତମାନର ସ୍ଥିତି ପରଖିବା ପାଇଁ ସ୍କାନିଂ ଭିତର ବେଢ଼ା ପଟୁ ହେବ। ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ୱତନ୍ତ୍ର କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରତ୍ନଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସମ୍ପତ୍ତିର ଗଣତି ଓ ତାଲିକା ପ୍ରସ୍ତୁତି କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।