ରିପୋର୍ଟର୍ସ ଟୁଡେ ବ୍ୟୁରୋ;– ବର୍ଷା କମିଲା, ବଢିଲା ତାତି । କଲବଲ ହେଉଛନ୍ତି ରାଜ୍ୟବାସୀ । ସକାଳ ୭ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏବେ ରାଜ୍ୟରୁ ବିରାମ ନେଉଛି ମୌସିମୀ । ଯାହାଫଳରେ ପୁଣି ଏବେ ବଢିଯାଇଛି ତାତି । ୫ରୁ ୬ଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୨ରୁ ୪ଡିଗ୍ରୀ ସେଲିସିୟସ ବୃଦ୍ଧି ପାଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର-ପୂର୍ବ ଆସାମ ଓ ଆଖପାଖ ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଅସ୍ପଷ୍ଟ ହେବାରେ ଲାଗିଛି । ଆଗାମୀ ଦଶଦିନ ପର୍ୟ୍ୟନ୍ତ ରାଜ୍ୟରେ ନାହିଁ ବର୍ଷା । ଏବେ ରାଜ୍ୟକୁ ପଶ୍ଚିମା ପବନ ବହୁଥିବାରୁ ମୌସୁମୀ ବାଦଲ ସୃଷ୍ଟି ହୋଇପାରୁନି । ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ରାଜ୍ୟ ସମେତ ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ନିଷ୍କ୍ରିୟ ରହିବ । ଏପରି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ.ସୁରେନ୍ଦ୍ର ନାଥ ପଶୁପାଳକ । ସେହିପରି ଆସନ୍ତା ୫ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୫ରୁ ୩୭ ଡିଗ୍ରି ସେଣ୍ଟିଗ୍ରେଡ୍ ରହିପାରେ । ୯ ତାରିଖରୁ ତାପମାତ୍ର୍ରାେ ଆଉ ଏକ ଡିଗ୍ରି ବୃଦ୍ଧି ସମ୍ଭାବନା ରହିଛି । ୧୦ରୁ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି । ଏହି ସମୟ ଭିତରେ ପ୍ରବଳ ଗରମ ଗୁଳଗୁଳି ଅନୁଭୁତ ହେବ । ରାଜ୍ୟରେ ଏପରି ପାଣିପାଗ ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ପର୍ୟ୍ୟନ୍ତ ଲାଗି ରହିବ ବୋଲି ଆକଳନ କରାଯାଇଛି ।୧୦ ତାରିଖରୁ ବାୟୁର ଦିଗ ପରିବର୍ତ୍ତନ ହେବାର ସମ୍ଭାବନା ଥିବାରୁ ୧୧ କିମ୍ବା ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାଯୋଗୁ ସମଗ୍ର ରାଜ୍ୟରେ ୪ଦିନ ବର୍ଷା ହେବା ସମ୍ଭାବନା ରହିଛି । କିନ୍ତୁ ଭାରି ବର୍ଷା ହେବାର କୌଣସି ସୂଚନା ନାହିଁ ।