(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମିଶୁ ମୋର ଦେହ ଏଦେଶ ମାଟିରେ, ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶରେ ସ୍ୱରାଜେ ଅଛି ଯେତେ ଗାଡ, ପୁରୁ ପଡି ତହିଁ ମୋର ମାଂସ ହାଡ । ଏହି ଉକ୍ତି ଥିଲା ଉକ୍ରଳମଣୀ ଗୋପବନ୍ଧୁଙ୍କର । ଦେଶ ମାତୃକାର ସେବାରେ ସେ ତାଙ୍କ ସାରା ଜୀବନ ଉତ୍ସର୍ଗ କରି ଦେଇଥିଲେ । ନିଜ ରୋଗୀ ପୁତ୍ରକୁ ମଧ୍ୟ ପଛକରି ବନ୍ୟା ପ୍ରପୀଡିତଙ୍କ ସେବା ପାଇଁ ଆଗେଇ ଯାଇଥିଲେ । ତେଣୁ ସମାଜ ସେବା ବିଷୟରେ କଥା ଉଠିଲେ, ଆଗେ ମନକୁ ଗୋପବନ୍ଧୁଙ୍କ କଥା ଆସେ । କିନ୍ତୁ ସମୟ ବଦଳିଛି, ସମାଜ ସେବାର ପରିଭାଷା ମଧ୍ୟ ବଦଳିବାରେ ଲାଗିଛି । ଦିନରେ ୧୦ ଜଣଙ୍କୁ ଭେଟିଲେ ୨ ଜଣ ନିଶ୍ଚିତ କହିବେ ସେ ସମାଜ ସେବୀ । ଅର୍ଥାତ୍ ୧୦୦ ଜଣରେ ୨୦ ଜଣ ସମାଜ ସେବୀ ଆମ ସମାଜରେ ରହିଛନ୍ତି । ଏତେ ସବୁ ସମାଜ ସେବୀଙ୍କ ଉପସ୍ଥିତିରେ ମଧ୍ୟ ସମାଜର କୌଣସି ପରିବର୍ତ୍ତନ ବା ଉନ୍ନତି ପରି ଲକ୍ଷିତ ହେଉନାହିଁ । କିନ୍ତୁ ଏହି ୨୦ ଜଣ ସମାଜ ସେବୀଙ୍କ ମଧ୍ୟରୁ ୧୫ ଜଣଙ୍କ ବିକାଶ ନିଶ୍ଚିତ ହୋଇଛି । ସେମାନଙ୍କ ଆର୍ଥିକ ସ୍ଥିତି, ଜୀବନ ଶୈଳୀରେ ହୋଇଛି ପରିବର୍ତ୍ତନ । ଦିନେ ଯେଉଁ ତଥାକଥିତ ସମାଜ ସେବୀଙ୍କୁ ଗୁଜୁରାଣ ମେଣ୍ଟାଇବା କାଠିଗର ପାଠ ଥିଲା, ସେମାନେ ସମାଜସେବାରେ ବ୍ରତୀ ହେବା ପରେ ଲାଲେଲାଲ ହୋଇଗଲେଣି ।
ସେତେବେଳର ସମାଜ ସେବୀ ନିଜର ଜତ୍ କିଞ୍ôଚତ ଧନ ସମ୍ପତ୍ତିକୁ ଲୋକଙ୍କ ହିତପାଇଁ ଉତ୍ସର୍ଗ କରିଦେଉଥିଲେ । ସମୟ କ୍ରମେ ନିସ୍ୱ ହୋଇଯାଉଥିଲେ । କିନ୍ତୁ ଆଜିର ସମାଜସେବୀଙ୍କ ସମ୍ପତ୍ତିରେ ବୃଦ୍ଧି ଘଟୁଛି । ଏହା ପଛର ପ୍ରକୃତ କାରଣ ହେଉଛି ଆଜିର ତଥାକଥିତ ସମାଜସେବୀ ସମାଜ ସେବା ନାମରେ ବା ଲୋକଙ୍କ ସମସ୍ୟାର ସମାଧାନ କରିବା ନାମରେ ଆତ୍ମ ସ୍ୱାର୍ଥ ଚରିତାର୍ଥ କରୁଛନ୍ତି । ଆଜିର ସମାଜ ସେବା ହେଲା ମଧ୍ୟସ୍ଥତା କରିବା । ଦୁଇ ଗୋଷ୍ଠୀ, ପରିବାର, ବ୍ୟକ୍ତିଙ୍କ ମଧ୍ୟରେ ଥିବା ମତାନ୍ତର, ମନାନ୍ତର ନିଜ ବାକ୍ଚାତୁରୀ ମାଧ୍ୟମରେ ଦୂର କରିବା ଓ ଏହି ସେବା ପାଇଁ ଉଭୟ ପକ୍ଷଠାରୁ ବେଶ କିଛି ଅର୍ଥ ମଧ୍ୟ ଦାବିକରିବାକୁ ପଛାନ୍ତି ନାହିଁ ଆଜିର ସମାଜସେବୀ । ୨୦ ଜଣ ଆତ୍ମଘୋଷିତ ସମାଜ ସେବୀଙ୍କ ମଧ୍ୟରୁ ବାସ୍ତବରେ ଜଣେ ବି ସମାଜ ସେବୀ ନାହାନ୍ତି । ଏଠି ସମାଜ ସେବା ନାମରେ ଦଲାଲଗିରି ଚାଲିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।