ବନ୍ଧା ହେଲେ ଉତ୍ତରାଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ରେଖା ଆର୍ୟ୍ୟଙ୍କ ସ୍ୱାମୀ ଗିରିଧାରୀ ଲାଲ୍ ସାହୁ ଓରଫ୍ ପପ୍ପୁ । ଉତ୍ତରପ୍ରଦେଶର ଝାନ୍ସୀରୁ ଧରିଛି ଡେରାଡୁନ୍ ପୋଲିସ। ପତ୍ନୀଙ୍କ ଅଭିଯୋଗ ପରେ ଗତ ଅକ୍ଟୋବର ୧୫ ତାରିଖରୁ ସେ ଫେରାର ଥିଲେ। ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରୁଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳୁନଥିଲା। ଶେଷରେ ଝାନ୍ସିରୁ ଗିରଫ ହେବା ପରେ ଏହି ହାଇପ୍ରୋଫାଇଲ୍ ମାମଲା ପୁଣି ଚର୍ଚ୍ଚାକୁ ଆସିଛି।

ସୂଚନା ଅନୁସାରେ, ଉତ୍ତରାଖଣ୍ଡ ସରକାରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିବା ରେଖା ଆର୍ୟ୍ୟ ଗତ ଅକ୍ଟୋବର ୧୫ ତାରିଖରେ ଡେରାଡୁନର କ୍ୟାଣ୍ଟ ଥାନାରେ ସ୍ୱାମୀ ଗିରିଧାରୀ ଲାଲ୍ଙ୍କ ବିରୋଧରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀ ତାଙ୍କୁ ନିର୍ୟାତନା ଦେବା ସହ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଏବଂ ହତ୍ୟା ପାଇଁ ଯୋଜନା କରିଥିଲେ। ଏହି ଗୁରୁତର ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାମଲାର ଗମ୍ଭୀରତାକୁ ଦେଖି ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ମଧ୍ୟ ଗଠନ କରାଯାଇଥିଲା।

ଗିରଫଦାରୀରୁ ବର୍ତ୍ତିବା ପାଇଁ ଗିରିଧାରୀ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କୁ ସେଠାରୁ ଆଶ୍ୱସ୍ତି ମିଳିନଥିଲା। ତାଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ ହୋଇଯାଇଥିଲା। ଏହାପରେ ନଭେମ୍ବର ୪ ତାରିଖରେ ଉତ୍ତରାଖଣ୍ଡ ହାଇକୋର୍ଟ ଏତଲା ରଦ୍ଦ କରିବା ଏବଂ ଗିରଫଦାରୀ ଉପରେ ରୋକ୍ ଲଗାଇବା ପାଇଁ ଦାଖଲ ହୋଇଥିବା ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ।