ବମ୍ବେ ହାଇକୋର୍ଟକୁ ଆସିଛି ଏହି ଧମକପୂର୍ଣ୍ଣ ଇ-ମେଲ। ଏଥିରେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ଜଲସା’, ବମ୍ବେ ହାଇକୋର୍ଟ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ୱର୍ଲି ରେସକୋର୍ସକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ମୁମ୍ବାଇର ଏକାଧିକ ହାଇ-ପ୍ରୋଫାଇଲ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ। ଏହି ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ ମୁମ୍ବାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଇ-ମେଲ ପଠାଇଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ପ୍ରୟାସ କରୁଛି ପୁଲିସ। ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଅମିତାଭ ବଚ୍ଚନଙ୍କୁ ଟାର୍ଗେଟ କରି ଏହା ହେଉଛି ଦ୍ୱିତୀୟ ଧମକପୂର୍ଣ୍ଣ ଇ-ମେଲ। ଏହା ପୂର୍ବରୁ ଅକ୍ଟୋବର ୨୨ ତାରିଖରେ ଅମିତା ବଚ୍ଚନଙ୍କ ଉଦ୍ଦେଶ୍ୟରେ ଆସିଥିଲା ଧମକପୂର୍ଣ୍ଣ ଇ-ମେଲ।
ଏହି ଇ-ମେଲ ଆସିଥିଲା ମୁମ୍ବାଇର ଏକ ସ୍କୁଲକୁ। ସେତେବେଳେ ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ଅମିତାଭ ବଚ୍ଚନ ନିଜେ କୌଣସି ଧମକପୂର୍ଣ୍ଣ ଇ-ମେଲ୍ ପାଇନାହାନ୍ତି। ଏହା ଦେଖିବା ପରେ ବଲିଉଡ୍ ଷ୍ଟାର ଓ ସେମାନଙ୍କ ପରିବାର ଲୋକଙ୍କ ସୁରକ୍ଷା ଚିନ୍ତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଦାବି କରିଥିଲା ଅଲ୍ ଇଣ୍ଡିଆ ସିନେ ୱାର୍କସ ଆସୋସିଏସନ୍। ଅମିତାଭଙ୍କ ଉଦ୍ଦେଶ୍ୟରେ ପ୍ରଥମ ଧମକପୂର୍ଣ୍ଣ ଇ-ମେଲ ଆସିବା ପୂର୍ବରୁ ଅକ୍ଟୋବର ୧୮ ତାରିଖରେ ବଲିଉଡ୍ ଷ୍ଟାର ଟାଇଗର ଶ୍ରଫଙ୍କୁ ଟାର୍ଗେଟ କରି ତାଙ୍କ କାର ଉପରକୁ କରାଯାଇଥିଲା ଗୁଳିମାଡ଼।