ବୟସ ମାତ୍ର ୧୫ ବର୍ଷ, ହେଲେ ଦକ୍ଷତା ଓ ପ୍ରତିଭା ବଳରେ ମିଳିଛି ବଡ଼ ଦାୟିତ୍ୱ। ଯୁବ କ୍ରିକେଟ୍ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ବ୍ୟାଟ୍ ଧରିବା ସହ ବିହାର ଦଳର ନେତୃତ୍ୱ ମଧ୍ୟ ନେବେ। ୨୦୨୬–୨୭ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ତାଙ୍କୁ ବିହାର ଦଳର ଅଧିନାୟକ ଭାବେ ଚୟନ କରାଯାଇଛି। ସିନିୟର କ୍ରିକେଟ୍ରେ ଏହା ତାଙ୍କର ପ୍ରଥମ ଅଧିନାୟକତ୍ୱ ଦାୟିତ୍ୱ।

ନଭେମ୍ବର ୧୪ରୁ ଆରମ୍ଭ ହେବ ଏହି ଘରୋଇ ଟି–୨୦ ଟୁର୍ଣ୍ଣାମେଣ୍ଟ। ପ୍ରଥମ ଦୁଇଟି ମ୍ୟାଚ୍ ଇନ୍ଦୋରରେ ଖେଳାଯିବ। ବିହାର କ୍ରିକେଟ୍ ଆସୋସିଏସନ୍ ଘୋଷଣା କରିଥିବା ୧୭ ଜଣିଆ ଦଳରେ ବୈଭବଙ୍କୁ ଅଧିନାୟକ ଏବଂ ସୂରଜ କଶ୍ୟପଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି।
ଅତି କମ୍ ବୟସରୁ କ୍ରିକେଟ୍ ଜଗତରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ବୈଭବ। ମାତ୍ର ୧୨ ବର୍ଷ ବୟସରେ ବିହାର ପାଇଁ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ। ଏହାସହ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଅଣ୍ଡର–୧୯ ଦଳର ନେତୃତ୍ୱ ନେଇଥିଲେ। ନିକଟରେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ପକ୍ଷରୁ ଟି–୨୦ ଖେଳି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ। ସିରିଜ୍ର ତୃତୀୟ ମ୍ୟାଚ୍ରେ ମାତ୍ର ୧୯ଟି ବଲ୍ରୁ ୪୫ ରନ୍ କରି ନିଜ ବ୍ୟାଟିଂ ଦକ୍ଷତାର ପରିଚୟ ଦେଇଥିଲେ।

ବିହାର କ୍ରିକେଟ୍ ଆସୋସିଏସନ୍ର ସଭାପତି ହର୍ଷ ବର୍ଦ୍ଧନ କହିଛନ୍ତି, କମ୍ ବୟସରେ ବୈଭବ ନିଜର ପ୍ରତିଭା, ଆତ୍ମବିଶ୍ୱାସ ଓ ପରିପକ୍ୱତା ପ୍ରମାଣ କରିଛନ୍ତି। ତାଙ୍କ ନେତୃତ୍ୱରେ ବିହାର ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ବିହାର ନଭେମ୍ବର ୧୪ରେ ନିଜର ପ୍ରଥମ ମ୍ୟାଚ୍ରେ ସୌରାଷ୍ଟ୍ରକୁ ଭେଟିବ। ଏବେ ସମସ୍ତଙ୍କ ନଜର ୧୫ ବର୍ଷୀୟ ବୈଭବଙ୍କ ଉପରେ। ବ୍ୟାଟିଂ ସହ ଅଧିନାୟକତ୍ୱରେ ସେ କେତେ ସଫଳ ହେଉଛନ୍ତି, ତାହା ଦେଖିବାକୁ କ୍ରିକେଟ୍ପ୍ରେମୀ ଅପେକ୍ଷା କରିଛନ୍ତି।