ଯାଜପୁର ଜିଲ୍ଲାରେ ଆଗାମୀ କାଳୀପୂଜା ଓ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଏବଂ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ଜିଲ୍ଲାରେ ଆଇନଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ ଏବଂ ଯାଜପୁର ଏସ୍ପି ଯଶ ପ୍ରତାପ ଶ୍ରୀମାଳ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ନଭେମ୍ବର ୭ରୁ ୧୫ ତାରିଖ ପର୍ଯ୍ୟନ୍ତ କାଳୀପୂଜା ଅନୁଷ୍ଠିତ ହେବ। ନଭେମ୍ବର ୧୬ରେ ଯାଜପୁର ଟାଉନ ଏବଂ ୧୭ ଓ ୧୮ ତାରିଖରେ ଯାଜପୁର ରୋଡ୍ରେ ମୂର୍ତ୍ତି ବିସର୍ଜନ କରାଯିବ। ଜିଲ୍ଲାରେ ମୋଟ ୧୧୯ଟି ପୂଜା ମଣ୍ଡପ ହୋଇଥିବାବେଳେ ଯାଜପୁର ଟାଉନରେ ୪୨ଟି ଏବଂ ଯାଜପୁର ରୋଡ୍ରେ ୨୧ଟି ମଣ୍ଡପ ରହିଛି। ଏଥିମଧ୍ୟରେ ୧୦ଟି ରୂପା ମେଢ଼, ୫ଟି ସୁନା ମେଢ଼ ଓ ଗୋଟିଏ ପିତଳ ମେଢ଼ ରହିଛି।

ସୁରକ୍ଷା ପାଇଁ ଜିଲ୍ଲାରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୪୦୦ ହୋମଗାର୍ଡ ମୁତୟନ ହେବେ। ଏହାସହ ୮୫ ଜଣ ଏସ୍ଆଇ ଓ ଏଏସ୍ଆଇ, ୨୫ ଇନ୍ସପେକ୍ଟର, ୧୦ ଡିଏସ୍ପି ଏବଂ ୩ ଜଣ ଅତିରିକ୍ତ ଏସ୍ପି ନିୟୋଜିତ ହେବେ। ୧୫ଟି ପୋଲିସ ସହାୟତା କେନ୍ଦ୍ର, ୧୦ଟି ମୋବାଇଲ୍ ଚେକିଂ ଟିମ୍ ଓ ୮ଟି ମୋବାଇଲ୍ ପାଟ୍ରୋଲିଂ ଟିମ୍ ମଧ୍ୟ କାର୍ଯ୍ୟ କରିବ।

ସେହିପରି ୭୦ଟି ସିସିଟିଭି କ୍ୟାମେରା ଓ ୪ଟି ଡ୍ରୋନ୍ ମାଧ୍ୟମରେ ଭିଡ଼ ଏବଂ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖାଯିବ। ବେଆଇନ ମଦ ଓ ନିଶାଦ୍ରବ୍ୟ କାରବାର, ଅସାମାଜିକ କାର୍ଯ୍ୟକଳାପ ଏବଂ ଗୁଜବ ପ୍ରଚାର ରୋକିବାକୁ ସ୍ୱତନ୍ତ୍ର ନଜର ରଖାଯିବ।
ବିସର୍ଜନ ଶୋଭାଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ସଜାଗ ରହିବ। ଏଥିସହ ଶାନ୍ତିପୂର୍ଣ୍ଣ ପୂଜା ଆୟୋଜନ ପାଇଁ ପୋଲିସ ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାବାସୀ ଓ ପୂଜା କମିଟିଗୁଡ଼ିକୁ ଅନୁରୋଧ କରାଯାଇଛି।