ନିରୀହ ନାଗରିକଙ୍କ ରକ୍ତ ବୁହାଇଥିବା ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଦଣ୍ଡ ଦିଆଯିବ…

ଖୋଲାଖୋଲି ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଆତଙ୍କବାଦୀଙ୍କୁ ଆଉ ନାହିଁ ନିସ୍ତାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ମାଟିରୁ ଖୋଲାଖୋଲି ଘୋଷଣା କରିଛନ୍ତି ଯେ ପହଲଗାମରେ ନିରୀହ ନାଗରିକଙ୍କ ରକ୍ତ ବୁହାଇଥିବା ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଦଣ୍ଡ ଦିଆଯିବ ଏବଂ ଏପରି ଦଣ୍ଡ ଦିଆଯିବ ଯାହା ସେମାନେ କଳ୍ପନା ମଧ୍ୟ କରିନଥିବେ। କାରଣ ଏହି ଆତଙ୍କବାଦୀ ଆକ୍ରମଣରେ କେହି ତାଙ୍କ ପୁଅକୁ ହରାଇଛନ୍ତି, କେହି ତାଙ୍କ ବନ୍ଧୁଙ୍କୁ ହରାଇଛନ୍ତି, ସେମାନଙ୍କ ମଧ୍ୟରେ କେହି ବଙ୍ଗାଳୀ ଥିଲେ, କେହି ମରାଠୀ ଥିଲେ, କେହି ଓଡ଼ିଆ ଥିଲେ, କେହି ବିହାରର ଥିଲେ। ଏହି ଆକ୍ରମଣ ନିରସ୍ତ୍ର ପର୍ୟ୍ୟଟକଙ୍କ ଉପରେ ନଥିଲା; ଏହା ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ଏକ ଦୁଃସାହସ ଥିଲା।


ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ଏହାକୁ ସ୍ପଷ୍ଟ ଶବ୍ଦରେ କହିବାକୁ ଚାହୁଁଛି। ଏହି ଆକ୍ରମଣ କରିଥିବା ଆତଙ୍କବାଦୀ ଏବଂ ଷଡଯନ୍ତ୍ର କରିଥିବା ଲୋକମାନଙ୍କୁ ସେମାନେ କଳ୍ପନା କରିଥିବାଠାରୁ ମଧ୍ୟ ବଡ଼ ଦଣ୍ଡ ମିଳିବ। ଦଣ୍ଡ ଏକାଠି ଦିଆଯିବ। ଆତଙ୍କବାଦୀଙ୍କ ପାଖରେ ଯାହା ବାକି ଅଛି ତାକୁ ଧ୍ୱଂସ କରିବାର ସମୟ ଆସିଛି।୧୪୦ କୋଟି ଭାରତୀୟଙ୍କ ଇଚ୍ଛା ଶକ୍ତି ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗି ଦେବ।


ମୋଦି ଆହୁରୀ କହିଥିଲେ ଯେ ବିହାର ମାଟିରେ, ମୁଁ ସମଗ୍ର ବିଶ୍ୱକୁ କହୁଛି ଭାରତ ପ୍ରତ୍ୟେକ ଆତଙ୍କବାଦୀ ଏବଂ ସେମାନଙ୍କର ସମର୍ଥକଙ୍କୁ ଚିହ୍ନଟ କରିବ, ଖୋଜି ବାହାର କରିବ ଏବଂ ଦଣ୍ଡ ଦେବ। ଆମେ ସେମାନଙ୍କୁ ପୃଥିବୀର ଶେଷ ସୀମା ପର୍ୟ୍ୟନ୍ତ ପିଛା କରିବୁ। ମୁଁ ବିଭିନ୍ନ ଦେଶର ଲୋକଙ୍କୁ ଏବଂ ସେମାନଙ୍କ ନେତାମାନଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ଆମ ସହିତ ଠିଆ ହୋଇଛନ୍ତି।’