ଝାରସୁଗୁଡା: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶକୁ କରିବେ ସମ୍ବୋଧନ । ୧୭ ଶହ କୋଟିର ରେଳ ପ୍ରକଳ୍ପ ରାଜ୍ୟବାସୀଙ୍କୁ ଭେଟିଦେବେ । ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେପଟେ ଆଜି ଝାରସୁଗୁଡ଼ା ଆସୁଥିବା ନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଗସ୍ତ ବେଳେ ୫୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ହେବ । ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ କରାଯିବ । ଏସବୁ ସ୍ଥାନୀୟ ପ୍ରଯୁକ୍ତି ବ୍ୟବହାର କରି ନିର୍ମିତ ହୋଇଛି । ସୀମାନ୍ତ ଅଞ୍ଚଳ, ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସଂଯୋଗ ବୃଦ୍ଧି କରିବ । ରେଳ ସଂଯୋଗ, IIT ଭିତ୍ତିଭୂମି ସମ୍ପ୍ରସାରଣ, ଦକ୍ଷତା ବିକାଶ କେନ୍ଦ୍ର ଉଦ୍ଘାଟନ ରହିଛି । ଏସବୁ ଆମର ବିକଶିତ ଭାରତ ଗଠନର ଦୃଷ୍ଟିକୋଣ ସହିତ ସମନ୍ୱିତ ବୋଲି କହିଛନ୍ତି ମୋଦି ।

ତେବେ ଆଜି ପୂର୍ବାହ୍ନ ୧୧ଟା ୧୦ ମିନିଟ୍ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ୧୧ଟା ୨୫ରେ ଅମଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । କାର୍ଯ୍ୟକ୍ରମ ସାରି ୧୨ଟା ୪୫ ମିନିଟ୍ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ମୋଦି ।