ପ୍ରକୃତିର ତାଣ୍ଡବରେ ଶିମିଳିପାଳ ପାଦଦେଶର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ମା’ ଅମ୍ବିକାଙ୍କ ଶକ୍ତିପୀଠ ଦେବକୁଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅବପାତଜନିତ ଲଗାଣ ବର୍ଷା ପରେ ପାହାଡ଼ରୁ ପ୍ରବଳ ବେଗରେ ପାଣି ମାଡ଼ି ଆସିବାରୁ ଦେବକୁଣ୍ଡର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ବନ୍ୟାଜଳରେ ମା’ ଅମ୍ବିକାଙ୍କ ମନ୍ଦିର ବୁଡ଼ିବା ସହ ମନ୍ଦିର ପାଚେରୀ, ହନୁମାନଙ୍କ ମୂର୍ତ୍ତି, ଯଜ୍ଞମଣ୍ଡପ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଭାଙ୍ଗି ନଷ୍ଟ ହୋଇଛି।
ପାହାଡ଼ରୁ ନିୟମିତ ପ୍ରବାହିତ ହେଉଥିବା ଝରଣା ଅବପାତ ବର୍ଷା ପରେ ଉଗ୍ରରୂପ ଧାରଣ କରିଥିଲା। ପ୍ରବଳ ଜଳସ୍ରୋତରେ ମନ୍ଦିର ପରିସରରେ ଭଙ୍ଗା ଗଛ ଓ କଂକ୍ରିଟ ଖଣ୍ଡ ପଡ଼ିରହିଛି। ମନ୍ଦିର ନିକଟକୁ ଯିବା ରାସ୍ତାରେ ଥିବା ଦୁଇଟି ପୋଲ ମଧ୍ୟ ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ ମନ୍ଦିର ପୂଜକ, ଶ୍ରଦ୍ଧାଳୁ କିମ୍ବା ପର୍ଯ୍ୟଟକ—କେହି ମଧ୍ୟ ଦେବକୁଣ୍ଡ ଭିତରକୁ ଯାଇପାରୁନାହାନ୍ତି। ବନ୍ୟା ବିପର୍ଯ୍ୟୟ ଯୋଗୁଁ ଗତ ୫ ଦିନ ହେଲା ମା’ ଅମ୍ବିକାଙ୍କ ପୂଜା ବନ୍ଦ ରହିଛି। ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଦେବକୁଣ୍ଡକୁ ପର୍ଯ୍ୟଟକଙ୍କ ପାଇଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି।
ସେହିପରି ବୁଢ଼ାମରା ଗେଟ୍ଠାରୁ ଭିତର ଗେଟ୍ ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ରାସ୍ତାରେ ଗଛ ଉପୁଡ଼ି ପଡ଼ିବା ସହ ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି। ଏହାଫଳରେ ଦେବକୁଣ୍ଡକୁ ଯୋଗାଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରକୃତିର ଏହି ତାଣ୍ଡବରେ ଦେବକୁଣ୍ଡର ପର୍ଯ୍ୟଟନ ଭିତ୍ତିଭୂମି ସହ ଧାର୍ମିକ ପରିବେଶ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।