ଆଫଗାନିସ୍ତାନ ଭୂକମ୍ପ : ୯୦୦ରୁ ଅଧିକ ମୃତ, ୫୦୦ଲୋକଙ୍କର ମିଳୁନି ପତ୍ତା
ଭୟଙ୍କର ଭୂକମ୍ପରେ ଛାରଖାର ହୋଇଗଲା ଆଫଗାନିସ୍ତାନ।
(ଆଫଗାନିସ୍ତାନ) : ଭୟଙ୍କର ଭୂକମ୍ପରେ ଛାରଖାର ହୋଇଗଲା ଆଫଗାନିସ୍ତାନ। ଭୂକମ୍ପରେ ଏଯାଏ ୯୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେହିପରି ପ୍ରାୟ ୫୦୦ ଲୋକଙ୍କର କୌଣସି ପତ୍ତା ମିଳୁନି। ତାଲିବାନ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଆଫାଗାନିସ୍ତାନର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୬.୧ ତୀବ୍ରତାର ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାଏ ୯୨୦ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଉପାନ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ଆଗକୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ପାକିସ୍ତାନ ସୀମାନ୍ତ ଖୋଷ୍ଟ ସହରର ଠାରୁ ୪୪ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଏହା ଭୂପୃଷ୍ଠରୁ ୫୧ କିମି ଗଭୀରରେ ସୃଷ୍ଟି ହୋଇଥିଲା। ରାତି ପ୍ରାୟ ୧.୩୦ରେ ଭୂକମ୍ପ ଝଟକା ଲୋକମାନେ ଅନୁଭବ କରିଛନ୍ତି।