ଆଇପିଏଲ୍ ୨୦୨୭ ଆରମ୍ଭ ହେବା ପୂର୍ବରୁ ଖେଳାଳି ଅଦଳବଦଳକୁ ନେଇ କ୍ରିକେଟ୍ ଜଗତରେ ହଇଚଇ। ଚର୍ଚ୍ଚା ହେଉଛି, ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ତଥା ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇପାରନ୍ତି। ଏହା ବଦଳରେ ପଞ୍ଜାବର ଘାତକ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଦଳରେ ଯୋଗ ଦେଇପାରନ୍ତି। ଏହି ସମ୍ଭାବ୍ୟ ଅଦଳବଦଳକୁ ନେଇ ଆଇପିଏଲ୍ରେ ଏକ ବଡ଼ ଟ୍ରେଡ୍ ହେବାର ଆକଳନ କରାଯାଉଛି।
ବିଭିନ୍ନ ରିପୋର୍ଟ ଅନୁସାରେ, ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏହି ଟ୍ରେଡ୍ ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ଫ୍ରାଞ୍ଚାଇଜ୍ ଆବଶ୍ୟକ କାଗଜପତ୍ର ବିସିସିଆଇ ନିକଟରେ ଦାଖଲ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ତେବେ ଏହି ଡିଲ୍କୁ ନେଇ ବିସିସିଆଇ ଓ ଆଇପିଏଲ୍ କର୍ତ୍ତୃପକ୍ଷଙ୍କ ଚୂଡ଼ାନ୍ତ ଅନୁମୋଦନ ବାକି ରହିଛି। ଏପର୍ଯ୍ୟନ୍ତ ଉଭୟ ଦଳ କିମ୍ବା ବିସିସିଆଇ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ହାର୍ଦ୍ଦିକଙ୍କ ପାଇଁ ପଞ୍ଜାବ କିଙ୍ଗ୍ସରେ ଯୋଗଦେବା ଏକ ନୂଆ ଅଧ୍ୟାୟ ହୋଇପାରେ। ଗୁଜରାଟ ଟାଇଟନ୍ସକୁ ପ୍ରଥମ ସିଜନ୍ରେ ଚାମ୍ପିଅନ୍ କରାଇଥିବା ହାର୍ଦ୍ଦିକ ୨୦୨୪ରେ ପୁଣି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରି ଅଧିନାୟକ ଦାୟିତ୍ୱ ନେଇଥିଲେ। ତେବେ ରୋହିତ ଶର୍ମାଙ୍କ ସ୍ଥାନରେ ତାଙ୍କୁ ଅଧିନାୟକ କରାଯିବା ପରେ ପ୍ରଶଂସକଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏପରିକି ଦଳର ଡ୍ରେସିଂରୁମ୍ରେ ମତଭେଦ ଥିବା ନେଇ ମଧ୍ୟ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଥିଲା। ଯଦିଓ ଏହି ଖବରଗୁଡ଼ିକର ସତ୍ୟତା ସ୍ପଷ୍ଟ ହୋଇନଥିଲା।
ଅନ୍ୟପଟେ ଅର୍ଶଦୀପ ସିଂହଙ୍କୁ ଦଳରେ ସାମିଲ କରି ନିଜ ବୋଲିଂ ବାହିନୀକୁ ଆହୁରି ମଜବୁତ କରିବାକୁ ଚାହୁଁଛି ମୁମ୍ବାଇ। ଜସପ୍ରୀତ ବୁମ୍ରାଙ୍କ ସହ ଅର୍ଶଦୀପଙ୍କ ଯୋଡ଼ି ଦଳର ଶକ୍ତି ବଢ଼ାଇପାରେ। ବିଶେଷକରି ପାୱାରପ୍ଲେ ଓ ଡେଥ୍ ଓଭରରେ ଅର୍ଶଦୀପଙ୍କ ବୋଲିଂ ଦକ୍ଷତା ମୁମ୍ବାଇ ପାଇଁ ଉପଯୋଗୀ ହୋଇପାରେ।

ସେହିପରି ହାର୍ଦ୍ଦିକଙ୍କ ଆଗମନ ପଞ୍ଜାବ କିଙ୍ଗ୍ସର ଦଳୀୟ ସନ୍ତୁଳନକୁ ନୂଆ ରୂପ ଦେଇପାରେ। ବ୍ୟାଟିଂ ସହ ବୋଲିଂରେ ମଧ୍ୟ ତାଙ୍କ ଅଭିଜ୍ଞତା ଦଳ ପାଇଁ ଫାଇଦାଦାୟକ ହେବ। ତେବେ ରିପୋର୍ଟ ଅନୁସାରେ, ଶ୍ରେୟସ ଆୟର ପଞ୍ଜାବର ଅଧିନାୟକ ଭାବେ ନିଜ ଦାୟିତ୍ୱ ଜାରି ରଖିବେ। ପ୍ରାରମ୍ଭିକ ଚର୍ଚ୍ଚାରେ ଏହି ଟ୍ରେଡ୍ ସହ ୱିକେଟକିପର ବିଷ୍ଣୁ ବିନୋଦଙ୍କ ନାମ ମଧ୍ୟ ଯୋଡ଼ା ଯାଇଥିଲା। କିନ୍ତୁ ପରବର୍ତ୍ତୀ ରିପୋର୍ଟରେ ହାର୍ଦ୍ଦିକ ଓ ଅର୍ଶଦୀପଙ୍କ ମଧ୍ୟରେ ସିଧାସଳଖ ଅଦଳବଦଳ ହେବାର ସମ୍ଭାବନା ଥିବା କୁହାଯାଇଛି।
ଏହି ସମ୍ଭାବ୍ୟ ଟ୍ରେଡ୍ ମଧ୍ୟରେ ମୁମ୍ବାଇର ଅଧିନାୟକ ପଦକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ହାର୍ଦ୍ଦିକ ଦଳ ଛାଡ଼ିଲେ ରୋହିତ ଶର୍ମା ପୁଣି ଅଧିନାୟକ ଦାୟିତ୍ୱ ନେଇପାରନ୍ତି ବୋଲି କିଛି ରିପୋର୍ଟରେ ଦାବି କରାଯାଇଛି। ତେବେ ଏନେଇ ମଧ୍ୟ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ।

ଏବେ ସମସ୍ତଙ୍କ ନଜର ବିସିସିଆଇର ନିଷ୍ପତ୍ତି ଉପରେ। ଏହି ଟ୍ରେଡ୍କୁ ଅନୁମୋଦନ ମିଳିଲେ ଆଇପିଏଲ୍ ୨୦୨୭ରେ ମୁମ୍ବାଇ ଓ ପଞ୍ଜାବ ଦଳର ଚେହେରା ବଦଳିପାରେ। ତେବେ ଏହି ଚର୍ଚ୍ଚା କେତେଦୂର ସତ ହେଉଛି, ତାହା ଆନୁଷ୍ଠାନିକ ଘୋଷଣା ପରେ ହିଁ ସ୍ପଷ୍ଟ ହେବ।