ରାଜସ୍ଥାନର ଭୋଟର ତାଲିକାକୁ ନେଇ ନୂଆ ବିବାଦ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଭୋଟର ତାଲିକାରେ ପ୍ରାୟ ୨ ଲକ୍ଷ ମୃତ ଭୋଟରଙ୍କ ନାଁ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ନିର୍ବାଚନ ଆୟୋଗ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଏହାକୁ ଆୟୋଗର ଅକ୍ଷମତା ଓ ଅନିୟମିତତାର ସୀମା ବୋଲି ସେ କହିଛନ୍ତି।
ରିପୋର୍ଟ ଅନୁସାରେ, ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ (SIR) ପ୍ରକ୍ରିୟାରେ ରାଜସ୍ଥାନର ପ୍ରାୟ ୮.୭୫ ଲକ୍ଷ ଭୋଟରଙ୍କୁ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ରାଜ୍ୟ ନିର୍ବାଚନ ଆୟୋଗର ପଞ୍ଚାୟତ ଭୋଟର ତାଲିକାରେ ସେମାନଙ୍କ ମଧ୍ୟରୁ ପ୍ରାୟ ୧.୮୨ ଲକ୍ଷ ଭୋଟରଙ୍କ ନାଁ ସକ୍ରିୟ ରହିଥିବା ଦାବି କରାଯାଇଛି। ଏହାକୁ ନେଇ ଭୋଟର ତାଲିକାର ସଠିକତା ଉପରେ ପ୍ରଶ୍ନ ଉଠିଛି।
ଏହି ମାମଲାରେ ଶଶି ଥରୁର ସୋସିଆଲ ମିଡିଆରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। SIRରେ ମୃତ ଘୋଷିତ ହୋଇଥିବା ଲୋକଙ୍କ ନାଁ ପଞ୍ଚାୟତ ଭୋଟର ତାଲିକାରେ କିପରି ସକ୍ରିୟ ରହିଲା, ତାହା ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପଟେ ରାଜସ୍ଥାନ ରାଜ୍ୟ ନିର୍ବାଚନ ଆୟୋଗ କହିଛି ଯେ, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବ୍ୟବହୃତ ଭୋଟର ତାଲିକା SIR ପୂର୍ବରୁ ପ୍ରସ୍ତୁତ ତାଲିକା ଆଧାରରେ ରହିଛି। ଏହି ତାଲିକାକୁ ଶେଷ ଥର ପାଇଁ ୧ ଜାନୁଆରୀ ୨୦୨୫ରେ ଅପଡେଟ୍ କରାଯାଇଥିଲା। ସୂଚନାଯୋଗ୍ୟ, ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତ କରୁଥିବା ବେଳେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଦାୟିତ୍ୱରେ ରହିଛି। ଦୁଇଟି ଭିନ୍ନ ଭୋଟର ତାଲିକାକୁ ନେଇ ଏବେ ବିବାଦ ତୀବ୍ର ହୋଇଛି।