ଚଳିତ ବର୍ଷ ହେବନାହିଁ ବାତ୍ୟା , ପ୍ରବଳ ବର୍ଷା ସମ୍ଭାବନା

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦଶହରାରେ ରାଜ୍ୟକୁ ବାତ୍ୟା ଛୁଇଁବ ବୋଲି ଆଶଙ୍କା କରାଯାଉଥିଲା ।

(ଭୁବନେଶ୍ୱର) : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦଶହରାରେ ରାଜ୍ୟକୁ ବାତ୍ୟା ଛୁଇଁବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ବାତ୍ୟା ନୁହେଁ, କେବଳ ବର୍ଷା ହେବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ।

ଆଇଏମ୍‌ଡିଙ୍କ କହିବାନୁଯାୟୀ , ଆମର ପୂର୍ବାନୁମାନ ଅନୁଯାୟୀ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଗତି କରି ୧୫ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ କେନ୍ଦ୍ରୀଭୂତ ହେବ। ଏହାର ପ୍ରଭାବରେ ଆଜି ଠାରୁ ୧୭ ତାରିଖ ଯାଏ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ଲଘୁଚାପ କ୍ଷେତ୍ର ଭାବେ ରହି ଏହା ଉପକୂଳ ଅତିକ୍ରମ କରିବ। ତେଣୁ ଏହା କୌଣସି ବାତ୍ୟା ନୁହେଁ। ଏହାର ପ୍ରଭାବରେ କେବଳ ବର୍ଷା ହେବ। ଉପକୂଳ ଅଞ୍ଚଳରେ ସମୁଦ୍ର ଉପରେ ପବନରେ ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ତେଣୁ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନଯିବା ଉଚିତ୍।