ଡିଜିଟାଲ୍ ଅପରାଧର ମୁକାବିଲା ପାଇଁ ଓଡ଼ିଶା ୨୪୯.୩୯ କୋଟି ଟଙ୍କାର ‘ସାଇବର କମାଣ୍ଡ ସେଣ୍ଟର’କୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟରେ ସାଇବର ଅପରାଧ, ଆର୍ଥିକ ଠକେଇ ତଥା ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ସାଇବର ଅପରାଧକୁ ରୋକିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ‘ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର’ (Odisha Cyber ​​Command Centre) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୪୯.୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି କମାଣ୍ଡ ସେଣ୍ଟର ବିଭିନ୍ନ ପ୍ରକାରର ସାଇବର ଅପରାଧ ଓ ସାଇବର ବିପଦକୁ ଚିହ୍ନଟ କରିବା, ରୋକିବା ଏବଂ ତଦନ୍ତ କରିବା କ୍ଷେତ୍ରରେ ଏକ ବିଶେଷଜ୍ଞ ସଂସ୍ଥା ଭାବରେ କାର୍ଯ୍ୟ କରିବ।

ଏଥିରେ ଚାରୋଟି ମୁଖ୍ୟ ଶାଖା ରହିବ। ସେଗୁଡ଼ିକ ହେଲା – ସାଇବର ଅପରାଧ ମୁଖ୍ୟାଳୟ (Cyber ​​Crime Headquarters), ରାଜ୍ୟ ସାଇବର ଅପରାଧ ଥାନା (State Cyber ​​Crime Police Station), ସାଇବର ସମ୍ବଳ କେନ୍ଦ୍ର (Cyber ​​Resource Centre) ଏବଂ ‘ଏଆଇ ପ୍ରିଡିକ୍ଟିଭ୍ ପୋଲିସିଂ ଆଣ୍ଡ ଡାଟା ଆନାଲିଟିକ୍ସ ସେଣ୍ଟର’ (AI Predictive Policing & Data Analytics Centre)।

ଏହି କେନ୍ଦ୍ର ରାଜ୍ୟରେ ଉପୁଜୁଥିବା ନୂତନ ସାଇବର ବିପଦର ମୁକାବିଲା କରିବା ପାଇଁ କ୍ଷମତା ବୃଦ୍ଧି କରିବା, ସାଇବର ଠକେଇ ମାମଲାର ତୁରନ୍ତ ତଦନ୍ତ ସୁନିଶ୍ଚିତ କରିବା ଏବଂ ଅନଲାଇନ୍ ଅପରାଧରୁ ମହିଳା ଓ ଶିଶୁମାନଙ୍କୁ ଉନ୍ନତ ସୁରକ୍ଷା ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବ।