ଡ଼୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ୭ ଦଫା ଦାବି ନେଇ ରାଜ୍ୟ ବ୍ୟାପୀ ଡ୍ରାଇଭର ମହାସଂଘ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି। ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏଣ୍ଡ ୱାର୍କର ଓ୍ବେଲଫେୟାର ବୋର୍ଡରେ ଅଟୋ ଡ଼୍ରାଇଭରଙ୍କୁ ସାମିଲ କରିବା, ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରିବା, ଡ଼୍ରାଇଭରଙ୍କୁ ୬୦ ଵର୍ଷ ପରେ ଭତ୍ତା ପ୍ରଦାନ କରିବା, ପ୍ରତି ଶହେ କିଲୋମିଟରରେ‌ ପାର୍କିଂ, ବିଶ୍ରାମାଗାର, ଶୌଚାଳୟ ବ୍ୟବସ୍ଥା କରିବା, ପ୍ରତ୍ୟେକ ଖଣି ଖାଦାନ ଓ କାରଖାନାରେ‌ ଓଡିଶାର ୭୦ ପ୍ରତିଶତ ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ସୁଯୋଗ ଦେବା, ସେପ୍ଟେମ୍ବର ୧ ତାରିଖ ଜାତୀୟ ଡ୍ରାଇଭର ଦିବସ କରିବା ଓ ଗାଡିର କାଗଜପତ୍ର ଯାଞ୍ଚ କରିବା କ୍ଷମତାକୁ ପୋଲିସ ବିଭାଗକୁ ଦିଆନଯିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ଡ୍ରାଇଭର ମହାସଂଘ । ଓଡ଼ିଶାର ୫ ଲକ୍ଷ ଡ୍ରାଇଭର ରାଜରାସ୍ତାକୁ ଓହ୍ଲାଇବେ । ତେବେ ଆମ୍ବୁଲାନ୍ସ ଓ ସ୍କୁଲ ବସକୁ ଛାଡି ବାକି ଗାଡି ଚାଳକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ କହିଛି । ସରକାର ଦାବି ପୂରା ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ତେବେ ଡ଼୍ରାଇଭରଙ୍କ ଷ୍ଟିୟରିଂ ଛାଡ ନିଷ୍ପତ୍ତି ପାଇଁ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇପାରେ । ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।