ଭୁବନେଶ୍ୱର/ ସୁର୍ଜିତ ଧଳ: କିଛି ବିଜେଡି ନେତା ମନ୍ତ୍ରୀଙ୍କୁ ଘାରିଛି ମିଡିଆ ନିଶା । କିଛି ଲୋଭି ମିଡିଆକୁ ହାତ କରି କରୁଛନ୍ତି ଆତ୍ମପ୍ରଚାର । ଯାବତୀୟ କେଳେଙ୍କାରୀ, ଦୁର୍ନୀତି ଓ ଜନବିରୋଧି କାର୍ଯ୍ୟ ସତ୍ତେ୍ୱ ନିଜକୁ ଜନତାଙ୍କ ଦରଦୀ ବନ୍ଧୁ ବୋଲି ଦେଖାଇବାକୁ ପଛଉନାହାନ୍ତି, ଯାହା ଅତ୍ୟନ୍ତ ହାସ୍ୟସ୍ପଦ । ଏପରି ଆତ୍ମପ୍ରଚାର କରୁଥିବା ଜଣେ ନେତ୍ରୀ ଏବେ ଚର୍ଚ୍ଚାରେ ରହିଛନ୍ତି । ଯାଜପୁର, ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଆତ୍ମପ୍ରଚାରକୁ ନେଇ ଏବେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଚର୍ଚ୍ଚା ।

ସୁନନ୍ଦା ଦାସ ସାଧାରଣ ନିର୍ବାଚନର ମାତ୍ର ଏକ ମାସ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ ଓ ତାଙ୍କୁ ଦଳର ସୁପ୍ରିମୋ ବରୀରୁ ପ୍ରାର୍ଥୀ କରିଥିଲେ । ଏହା ପରେ ସେ ବରୀରୁ ବିଜୟ ହାସଲ କରିଥିଲେ । ଏହି ବିଜୟ ପାଇଁ ସୁନନ୍ଦା ଓ ତାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସଙ୍କ ସଂଗଠନିକ ଦକ୍ଷତାକୁ ଶ୍ରେୟ ଦେଉଛନ୍ତି ସୁନନ୍ଦା । ଏହାକୁ ନେଇ ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଚର୍ଚ୍ଚା । ସୁନନ୍ଦାଙ୍କ ଏହି ଦୃଢୋକ୍ତିକୁ ହସରେ ଉଡାଇ ଦେଉଛନ୍ତି ବିଜେଡି କର୍ମକର୍ତ୍ତା । ଅବଶ୍ୟ ବିଜେଡିରେ କେହି ବିଜୟ ହାସଲ କରିବାକୁ ନେଇ ଆତ୍ମବଡିମା ଦେଖାଇବା ନିହାତି ହାସ୍ୟସ୍ପଦ । ଏକଦା ବିଜେଡିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ର କହିଥିଲେ, ବିଜେଡିରୁ ଜୋତା ଚପଲ ଠିଆକରା ଗଲେ ମଧ୍ୟ ସେସବୁ ଜିତିବ । ତେଣୁ ସୁନନ୍ଦାଙ୍କ ବିଜୟ କିଛି ନୂଆ ନୁହେଁ ।

ବିଜେଡି କର୍ମୀ ଓଲଟା କହୁଛନ୍ତି, ସୁନନ୍ଦା ବରୀ ଅଞ୍ଚଳର ଉନ୍ନତିରେ ବାଧକ ସାଜିଛନ୍ତି । ଜଣେ ମହିଳା ହୋଇଥିବାରୁ ତାଙ୍କୁ ଦଳରେ ସାମିଲ କରିବା ସହ ଟିକେଟ ଦେବାରେ ସହଯୋଗ କରିଥିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ତାଙ୍କ ନିର୍ବାଚନ ବେଳେ ଦଳର ବିଜୟ ଲକ୍ଷ୍ୟରେ ଉଭୟ ଯାଜପୁର ବିଧାୟକ ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ସୁନନ୍ଦାଙ୍କୁ ଜିତାଇବାକୁ ସେମାନଙ୍କ ସହଯୋଗର ହାତ ବଢାଇଥିଲେ । ସେତେବେଳେ ସୁନନ୍ଦାଙ୍କ ପାଇଁ ଦୁଇ ପ୍ରଣବଙ୍କ ସହଯୋଗକୁ ନେଇ ରାଜ୍ୟବ୍ୟାପୀ ହୋଇଥିଲା ଚର୍ଚ୍ଚା । ଦୁଇ ପ୍ରଣବଙ୍କୁ ଜଗନ୍ନାଥ ଓ ବଳଭଦ୍ର କୁହାଯାଇଥିବା ବେଳେ ସୁନନ୍ଦାଙ୍କୁ ସୁଭଦ୍ରା ବୋଲି କୁହାଯାଇଥିଲା । କିନ୍ତୁ ବିଜଶ୍ରୀ ମିଳିବା ପରେ ସୁନନ୍ଦା ଓ ତାଙ୍କ ସ୍ୱାମୀ ଦେବେନ୍ଦ୍ର ସେମାନଙ୍କ ସାହାଯ୍ୟ ସହଯୋଗକୁ ଭୁଲି ନିଜର ସାଂଗଠନିକ ଦକ୍ଷତାକୁ ଶ୍ରେୟ ଦେଉଛନ୍ତି ।

ଗତବର୍ଷ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ବରୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଲୋକେ ପ୍ରାୟ ଏକ ସପ୍ତାହ ଧରି ଜଳବନ୍ଦୀ ହୋଇ ରହିଥିଲେ । ବହୁ ଲୋକ ବାସ ହରା ହୋଇ ନଦୀ ବନ୍ଧରେ ପୋକ ମାଛି ପରି ଦିନ କାଟିଥିବା ବେଳେ କିନ୍ତୁ ଏହି ଜନପ୍ରିୟ ବିଧାୟିକାଙ୍କ ଦର୍ଶନ ନ ଥିଲା । ଲୋକେ ସେମାନଙ୍କ ଜନପ୍ରତିନିଧିଙ୍କୁ ଖୋଜୁଥିବା ବେଳେ ସେ ମଉଜମଜଲିସରେ ମାତିଥିଲେ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ଅନ୍ୟ ପଟେ ବରୀରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ସମ୍ପାଦନ କରିବାକୁ ଦେଉ ନାହାନ୍ତି ବିଧାୟିକା ଓ ତାଙ୍କ ସ୍ୱାମୀ ବୋଲି ଅଭିଯୋଗ ହେଉଛି । କୌଣସି କାର୍ଯ୍ୟର ଟେଣ୍ଡର ଆସୁ ବା କୌଣସି କଣ୍ଟ୍ରାକ୍ଟର କାର୍ଯ୍ୟାଦେଶ ହାସଲ କରନ୍ତୁ, ସବୁଥିରେ ବିଧାୟିକାଙ୍କ ସ୍ୱାମୀ ନେଉଛନ୍ତି ପିସି । ବିନା ପିସିରେ ହେଉନି କିଛି କାମ ।

ଖାଲି ଏତିକି ନୁହେଁ, ବିଧାୟିକାଙ୍କ ସ୍ୱାମୀ ବରୀ ଅଞ୍ଚଳରେ ଚଳାଇଛନ୍ତି ସ୍ୱେଚ୍ଛାଚାରିତା । ଚଳାଇଛନ୍ତି ମନମୁଖୀ କାର୍ଯ୍ୟ । ଉଭୟ ସ୍ୱାମୀସ୍ତ୍ରୀ ବରୀକୁ ନିଜର ପୈତୃକ ସମ୍ପତ୍ତି ମଣୁଛନ୍ତି ଓ ପ୍ରତ୍ୟେକ କ୍ଷେତ୍ରକୁ ଦୁଇ ଦୁଇ ହାତରେ ଲୁଟିଚାଲିଥିବା ଶୁଣିବାକୁ ମିଳୁଛି । ସାଧାରଣ ଜନତା ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ନାନା ଦୁର୍ଦ୍ଦଶାରେ ଦିନ କାଟୁଥିବା ବେଳେ ବିଧାୟିକାଙ୍କ ସ୍ୱାମୀ ତଥା ସେମାନଙ୍କ ସମର୍ଥକ ଅର୍ଥ ନେଇ ନିଜ ଆତ୍ମୀୟ ସ୍ୱଜନ ତଥା ସମର୍ଥକଙ୍କୁ ଯୋଗାଉଛନ୍ତି ସରକାରୀ ଯୋଜନାର ସୁଫଳ । ସାଧାରଣ ଜନତାଟିଏ ବିଜୁ ପକ୍କା ଘର ହେଉ ବା ବାର୍ଦ୍ଧକ୍ୟ ଭତ୍ତା ଅବା ଅନ୍ୟ କୌଣସି ଯୋଜନା ପାଇଁ ବିଧାୟିକାଙ୍କ ନିକଟକୁ ଗଲେ ତୃଣମୂଳସ୍ତରର କର୍ମକର୍ତ୍ତାଙ୍କ ମାଧ୍ୟମରେ ନେଉଛନ୍ତି ଯୋଜନା ପାଇଁ ଅର୍ଥ । ଯିଏ ଅର୍ଥ ଦେଉଛି ସେ ପାଉଛି ସରକାରୀ ସୁବିଧା । ବିଧାୟିକା ତଥା ତାଙ୍କ ସ୍ୱାମୀଙ୍କ ଏପରି କାର୍ଯ୍ୟକୁ ନେଇ ବରୀ ଅଞ୍ଚଳରେ ଦେଖାଦେଉଛି ଜନ ଅସନ୍ତୋଷ । କିନ୍ତୁ ଉଭୟ ସ୍ୱାମୀ ସ୍ତ୍ରୀ କିଛି ମିଡିଆକୁ ହାତ କରି, ସେମାନଙ୍କୁ ଅର୍ଥ ଦେଇ ନିଜ ସପକ୍ଷରେ ନ୍ୟୁଜ କରିବାରେ ବ୍ୟସ୍ତ ।