ମହନ୍ତଙ୍କ ମର୍ଡର ମିଷ୍ଟ୍ରିରେ ନୂଆ ତଥ୍ୟ: ଓଡିଆ ବୋଲି ହେଉଛି ଦାବି

ଜଳେଶ୍ୱର(ଅଜିତ ସାହୁ): ଉତ୍ତର ପ୍ରଦେଶ ପ୍ରୟାଗରାଜ ବାଗାମ୍ବରୀ ମଠର ମହନ୍ତ ନରେଦ୍ର ଗିରୀଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ମୃତ ମହନ୍ତ ନରେନ୍ଦ୍ର ଗିରି ଜଣେ ଓଡିଆ ଏବଂ ତାଙ୍କ ଜନ୍ମସ୍ଥାନ ବାଲେଶ୍ୱରର ଭୋଗରାଇ ବ୍ଲକ ଅନ୍ତର୍ଗତ ପାଣିଷଣ୍ତା ଗ୍ରାମର ବୋଲି ପରିବାର ଲୋକେ ଦାବି କରିଛନ୍ତି । ଏଥି ସହିତ ପୂର୍ଣ୍ଣଚନ୍ଦ୍ର ମହନ୍ତ ନରେନ୍ଦ୍ରଙ୍କ ଭାଇ ବୋଲି ମଧ୍ୟ ଦାବୀ କରିଛନ୍ତି । ତେବେ ସରକାର, ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ସ୍ୱର୍ଗତ ନରେନ୍ଦ୍ରଙ୍କ ଜନ୍ମ ସମ୍ପର୍କିତ କୌଣସି ସୂଚନା ମିଳିନଥିବା ବେଳେ, ନରେନ୍ଦ୍ର ସେହି ଗ୍ରାମର ସନାତନ ଗିରି ଓ ରମାମଣି ଗିରୀଙ୍କ ବଡ଼ ପୁଅ ବୋଲି ଦାବୀ ହୋଇଛି ।
ଆଜକୁ ୫୨ ବର୍ଷ ପୂର୍ବରୁ, ବିବାହ ପାଇଁ ଝିଅ ଖୋଜିବାରୁ, ବିବାହ କରିବେ ନାହିଁ ବୋଲି କହି ନରେନ୍ଦ୍ର ଗାଁ ଓ ପରିବାର ଛାଡ଼ି ବହାରକୁ ଚାଲି ଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା । ତେବେ ବାଗାମ୍ବରୀ ମଠର ମହନ୍ତ ହେବା ପୂର୍ବରୁ ସେ ନିଜ ଗାଁ କୁ ଫେରି ୧୫ ଦିନ ଗ୍ରାମରେ ରହିଥିଲେ । ଗଣମାଧ୍ୟମରେ ନରେନ୍ଦ୍ରଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ନରେନ୍ଦ୍ରଙ୍କୁ ଚିହ୍ନିବା ସହିତ, ସେ ଜଣେ ଓଡିଆ, ଓ ବାଲେଶ୍ୱର ଭୋଗରାଇ ବ୍ଲକ ପାଣିଷଣ୍ଢା ଗ୍ରାମର ବୋଲି ଦାବି ହୋଇଛି ।