ଏକଦା ବଡ ଦାଣ୍ଡରେ ବୋହୁଥିଲା ମାଳିନୀ ନଦୀ, ଡଙ୍ଗାରେ ହେଉଥିଲା ରଥଯାତ୍ରା

ପୁରୀ: ଜଗନ୍ନାଥ… ବଡ ଧାମ, ବଡ ଠାକୁର, ବଡ ମନ୍ଦିର, ବଡ ଯାତ୍ରା । ଯେଉଁ ଭଗବାନଙ୍କର ସବୁ କିଛି ବଡ ସେ ଭଗବାନଙ୍କ ଇତିହାସ ବି ସବୁଠୁ ବଡ । ଇତିହାସ ପୃଷ୍ଠା ଓଲଟାଇଲେ ବଡ ଠାକୁରଙ୍କ ଅନେକ ବଡ ବଡ ରହସ୍ୟ ଜାଣିବାକୁ ମିଳେ । ଆଉ ସେହି ବଡ ରହସ୍ୟ ଭିତରେ ପସିଲେ ସତେ ଲାଗେ ଯେମିତି ଆମେ ଭଗବାନଙ୍କ କୋଳରେ ବସି ତାଙ୍କର ସେହି ମନମୁଗ୍ଧକର ଚାହାଣୀରେ ହଜିଯାଇଛେ । ତେବେ ଆପଣମାନେ ଜାଣିଥିବେ ନିଶ୍ଚୟ ଯେ ମହାପ୍ରଭୁଙ୍କ ଏହି ବଡ ଯାତ୍ରା (ରଥଯାତ୍ରା) କାହିଁ କେଉଁ କାଳରୁ ଚାଲି ଆସିଛି । ଅନେକ ବର୍ଷ ବଦଳିଛି ଅନେକ ପୃଷ୍ଠା ବଦଳିଛି କିନ୍ତୁ ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ସେମିତି ରହିଛି । ପ୍ରତିବର୍ଷ ଆଶାଢ ମାସରେ ମହାପ୍ରଭୁ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ସେତେବେଳେ ଡଙ୍ଗାରେ ଯାଉଥିଲେ ଆଉ ଏବେ ରଥରେ । ଏବେ ଆପଣ ନିଶ୍ଚୟ ଟିକେ ଦ୍ଵନ୍ଦରେ ପଡିଯାଇଥିବେ ଯେ ମହାପ୍ରଭୁ ଡଙ୍ଗାରେ କେମିତି ରଥଯାତ୍ରା କରନ୍ତି… । ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ କହିବୁ ମହାପ୍ରଭୁଙ୍କ ସେହି ଡଙ୍ଗା ରଥଯାତ୍ରା ବିଷୟରେ…

ପୂର୍ବେ ଜଗନ୍ନାଥ ମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ମଧ୍ୟରେ ମାଳିନୀ ନଦୀ ପ୍ରବାହିତ ହେଉଥିଲା । ଏହି ନଦୀ ଶଙ୍ଖୁଆ ନଦୀର ଏକ ଶାଖା ନଦୀ ଥିଲା । ଏହି ନଦୀ ବଡ଼ଶଙ୍ଖ ପଥରେ ଯାଇ ଚକ୍ରତୀର୍ଥଠାରେ ସାଗର ଗର୍ଭରେ ମିଶିଥିଲା । ବର୍ତ୍ତମାନ ଉକ୍ତ ସ୍ଥାନକୁ ବାଙ୍କି ମୁହାଣ କୁହାଯାଉଛି । ଏହି ବାଙ୍କୀ ମୁହାଣ ବର୍ତ୍ତମାନ ଚକ୍ରନାରାୟଣ ମନ୍ଦିର ପାଖରେ ସମୁଦ୍ରରେ ମିଶୁଛି । ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନାଦେଶ କ୍ରମେ ଏହି ନଦୀର ବାଙ୍କି ମୁହାଣରୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ପ୍ରଥମ ଦାରୁ ମିଳିଥିଲା । କିମ୍ବଦନ୍ତୀ କହେ, ଆଜିର ସୁଦୃଶ୍ୟ ପବିତ୍ର ବଡ଼ଦାଣ୍ଡରେ ଦିନେ ମାଳିନୀ ନଦୀ ପ୍ରବାହିତ ହେଉଥିଲା। ତେଣୁ ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ଯାତ୍ରାରେ ଯିବାକୁ ୬ଟି ରଥର ଆବଶ୍ୟକ ପଡ଼ୁଥିଲା। ବଳଗଣ୍ଡି ପର୍ଯ୍ୟନ୍ତ ତିନି ସୁଦୃଶ୍ୟ ରଥ ଆସୁଥିଲା। ସେହିପରି ଆଉ ତିନିଟି ରଥ ମାଳିନୀ ନଦୀର ଅପର ପାର୍ଶ୍ବରେ ୪ ଚକିଆ ଶଗଡ଼ି ସଦୃଶ ନିର୍ମିତ ହୋଇ ରହୁଥିଲା। ମହାପ୍ରଭୁ ନଦୀ ପାର ହୋଇ ଯିବାପରେ ଏହି ରଥରେ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଉଥିଲେ।

ରାଜା ଯଯାତି କେଶରୀଙ୍କ ରାଜତ୍ବ ସମୟରେ ଶ୍ରୀମନ୍ଦିରର ଉଚ୍ଚତା ୪୮ ହାତ ଥିଲା। ଶ୍ରୀବିଗ୍ରହମାନେ ୨ ହାତ ୧୦ ଆଙ୍ଗୁଳିର ଥିଲେ। ରଥର ଉଚ୍ଚତା ଥିଲା ୧୮ ହାତ। ତିନି ରଥ ସମ୍ଭବତଃ ସମାନ ଥିଲା। କିନ୍ତୁ ୬ଟି ରଥ ହେଉଥିଲା। ବଳଗଣ୍ଡି ପର୍ଯ୍ୟନ୍ତ ତିନି ରଥ ଯାଉଥିଲା। ସେଠାରୁ ମାଳିନୀ ନଦୀର ଅପର ପାର୍ଶ୍ବରେ ଥିବା ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନି ରଥ ନିର୍ମିତ ହେଉଥିଲା। ଏହି ତିନିରଥ ଚାରିଚକିଆ ଶଗଡ଼ି ସଦୃଶ ହେଉଥିଲା। ଏହି ତିନିଟି ରଥ ମାଳିନୀ ନଈର ଉତ୍ତର ଭୂମିରେ ଆଡ଼ପ ମଣ୍ଡପ ଦିଗକୁ ଯାଉଥିଲା। ତେବେ ସିଂହଦ୍ବାରରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ ୧୬ ଚକିଆ, ୧୪ ଚକିଆ ଓ ୧୨ ଚକିଆ ଥିଲା। ବଳଗଣ୍ଡିରେ ରଥ ପହଞ୍ଚିବା ପରେ ଦୋଳଚାପରେ ନଈ ପାରି ହୋଇ ଆର ପଟକୁ ଯାଉଥିଲେ।

ଷୋଡ଼ଶ ଶତାଦ୍ଦୀରେ ରଚିତ ମାଦଳା ପାଞ୍ଜିରେ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳେ। ଏଥିରେ ଉଲ୍ଲେଖ ଅଛି ଯେ ‘‘ବୀର ନରସିଂହ ଦେବ ରାଜା ରାଜ୍ୟ କଲେ। ଏ ରାଜା ବାଙ୍କୀ ମୁହାଣ ପୋତାଇଲେ। ଛଅ ରଥ ହେଉଥିଲା, ରାଜା ତାହା ପୋତାଇ ତିନି ରଥ କରାଇଲେ। ଗୁଣ୍ଡିଚା ଘର ଦେଉଳ କାଠ ମଣ୍ଡପ ହୋଇଥିଲା, ତାହା ପଥର ମଣ୍ଡପ କଲେ। ଏ ଦୁଇ ପାଖେ ବଳଗଣ୍ଡି କଲେ।“ଏହି ଛଅ ରଥ କେବେ ଠାରୁ ଶ୍ରୀକ୍ଷେତ୍ରରେ ପ୍ରଚଳିତ ହେଲା, ସେ ସମ୍ପର୍କରେ ମାଦଳା ପାଞ୍ଜିରୁ କୈଣସି ତଥ୍ୟ ମିଳୁନାହିଁ। କିନ୍ତୁ ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ପୁରୀରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଛି। ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ରଚିତ ସ୍କନ୍ଧ ପୁରାଣ ଉତ୍କଳ ଖଣ୍ଡର ପୁରୁଷୋତ୍ତମ ମାହାତ୍ମ୍ୟରେ ରଥଯାତ୍ରାର ସବିଶେଷ ବିବରଣୀ ବର୍ଣ୍ଣନା ରହିଛି। ୧୨୭୦ ମସିହାରେ ମାଧବାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆଗମନ କରିଥିଲେ। ଗୋଟିଏ ଯାତ୍ରାରେ ଦୁଇ ପ୍ରକାର ରଥ ବ୍ୟବହାର ଶାସ୍ତ୍ର ବିରୋଧୀ ବୋଲି ସେ ମତ ଦେବାରୁ ମାଳିନୀ ନଦୀ ପୋତି ବଡ଼ଦାଣ୍ଡରେ ମାତ୍ର ତିନିଟି ରଥରେ ରଥଯାତ୍ରା ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ। ତେଣୁ ଗଙ୍ଗ ସମ୍ରାଟ ଅନଙ୍ଗ ଭୀମ ଦେବଙ୍କ ପୁତ୍ର ପ୍ରଥମ ଭାନୁଦେବ ଏହି ବ୍ୟବସ୍ଥା କରିଥିଲେ।