ଆଗକୁ ଆସୁଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରଥ ଖଳା ଚଳଚଞ୍ଚଳ । ରଥ ନିର୍ମାଣ କାମରେ ବ୍ୟସ୍ତ ବଢେଇ । ସାଆନ୍ତେଙ୍କ ପାଇଁ ସଜଡା ହେଉଛି ନନ୍ଦିଘୋଷ । ତିନିରଥ ପାଞ୍ଚ ଦଣ୍ଡାରେ ଆଗଆଣି, ପଛଆଣି ଗରଗରା ପଡି ଦଣ୍ଡା ଉଭୟ ପାଶ୍ୱର୍ରେ ପୋଲା ଗୟଳ ମୋଡା ଶେଷ ହୋଇଛି । ଆଜି ତିନିରଥର ଚାରିନାହାକା ଉଠିବ । ତା’ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି ।
ତେଣୁ ତିନି ରଥର ପାଞ୍ଚ ଦଣ୍ଡା ଉଭୟ ପାଶ୍ୱର୍ରେ ଗୋଟିଏ ଗୋଟିଏ ପୋଲା ଗୟଳ ଆଗ ଏବଂ ପଛ ନିରାଡି ସହ ମୋଡ଼ାଯାଇଛି । ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ ସାତ ଗୋଟି ଟାଣ ବା ଖମ୍ବି ଉଭୟ ପାର୍ଶ୍ଵ ଦଣ୍ଡାରେ ବିନ୍ଧ କରାଯାଇ ସେଟିଂ କରାଯାଇଛି । ତିନିରଥ ଚାରି ନାହାକା ଉଠିବା ସହଜ ହେବାପାଇଁ ଭୋଇ ସେବକ ମାନେ ପୋଲା ଗୟଳ ଉପରେ ଭାରା ବାନ୍ଧି ଫାଳୀ ବଟନ କାଠ ପକାଇଛନ୍ତି ।