ଭୁବନେଶ୍ୱର/ଶିଳାସ୍ମିତା ରାୟ: ରାଜ୍ୟରେ କଂଗ୍ରେସର ସ୍ଥିତି ସୁଦୃଢ କରିବାର ଗୁରୁଦାୟିତ୍ୱ ଦିଆଯାଇଛି ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କୁ । ରାଜ୍ୟ କଂଗ୍ରେସ ନେତାଙ୍କ ମଧ୍ୟରେ ଥିବା ଫାଟ ପୂରା କରି ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ଚେଲା କୁମାର ଚେଷ୍ଟିତ ଥିବା ଆଜି ଚେଲାକୁମାର ଭୁବନେଶ୍ୱରରେ ପହଞ୍ଚି କହିଛନ୍ତି । ଚେଲା କୁମାର ରାଜ୍ୟର ଦଳୀୟ ନେତାଙ୍କ ମଧ୍ୟରେ ଥିବା ଫାଟ ପୂରଣ କରି ଦଳକୁ ମଜଭୁତ କରିବାକୁ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ କିନ୍ତୁ ତାଙ୍କ ଦୃଢୋକ୍ତି ପାଣିର ଗାର ପରି ମନେ ହେଉଛି ।

ସାଧାରଣତଃ କୌଣସି ଜାତୀୟ ଦଳର ରାଜ୍ୟ ପ୍ରଭାରୀଙ୍କ ନିକଟରେ ବହୁ କ୍ଷମତା ରହିଛି । ଦଳୀୟ କର୍ମକର୍ତ୍ତା ନେଇ ନେତା ତାଙ୍କୁ ସମ୍ମାନ ଦେବା ସହ ତାଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିଥାନ୍ତି । ପ୍ରଭାରୀ ରାଜ୍ୟ ଗସ୍ତରେ ଆସିଲେ କର୍ମକର୍ତ୍ତା ତାଙ୍କୁ ଘେରି ଯାଇଥାନ୍ତି । କିନ୍ତୁ ଆଜି ଚେଲାକୁମାର ଭୁବନେଶ୍ୱରରେ ପହଞ୍ଚିବା ପରେ ସେପରି କିଛି ପରିଲକ୍ଷିତ ହୋଇନାହିଁ । ପ୍ରଭାରୀ ଭୁବନେଶ୍ୱରରେ ପହଞ୍ଚିବା ସମୟରେ ଦଳୀୟ ବିଧାୟକ ଓ ନେତାମାନେ ଉପସ୍ଥିତ ରହିଥିବା ଦେଖା ଦେଇଥିବା ବେଳେ କିନ୍ତୁ ସେମାନଙ୍କ ମଧ୍ୟରେ ଆନ୍ତରିକତାର ଅଭାବ ଦେଖା ଦେଇ ନ ଥିଲା ।

କଂଗ୍ରେସ ଭବନରେ ଚେଲାକୁମାର ବିଧାୟକ ଓ ତୁଙ୍ଗ ନେତାଙ୍କୁ ନେଇ ରାଜ୍ୟ ରାଜନୀତି ତଥା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିବା ବେଳେ କିନ୍ତୁ କଟକ ବାରବାଟି ବିଧାୟକ ମହମ୍ମଦ ମୁକିମ ବାହାରେ ଟହଲମାରୁଥିଲେ । ସେହିପରି ବୈଠକ ପରେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରଭାରୀଙ୍କ ସହ ନିରଞ୍ଜନ ଓ ନରସିଂହ ଯାଇଥିବା ବେଳେ ସନ୍ତୋଷ ସିଂହ ସାଲୁଜା କଣ୍ଟାବାଞ୍ଜି ଅଭିମୁଖେ ବାହାରି ଯାଇଥିଲେ । ଗଣମାଧ୍ୟମ ବାଇଟ ମାଗିବାରୁ ଟ୍ରେନ ସମୟ ହୋଇଯାଇଥିବା କହି ଗଣମାଧ୍ୟମକୁ ଏଡାଇ କଂଗ୍ରେସ ଭବନରୁ ବାହାରିଗଲେ । ସେହିପରି ସୁରେଶ ରାଉତରାୟ ଦୁଇଟା ବାଜିଲାଣି ଭୋକ ହେଲାଣି କହି ଘରମୁହାଁ ହୋଇଥିଲେ । ଜଣେ ପ୍ରଭାରୀଙ୍କ ଉପସ୍ଥିତିରେ ଦଳୀୟ ବିଧାୟକଙ୍କ ଏପରି ସ୍ଥାନ ଛାଡିବାରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା କି ଆଜିର ଆଲୋଚନା ଫଳବତୀ ହୋଇନାହିଁ । ପ୍ରଭାରୀ ବିଧାୟକଙ୍କ ମଧ୍ୟରେ ଥିବା ଫାଟ ପୂରଣରେ ବିଫଳ ହୋଇଛନ୍ତି । ଦଳର ରାଜ୍ୟ ମୁଖିଆଙ୍କ ଶାସକ ଦଳ ସହ ସଲାସୁତରା ଓ ଡିଲକୁ ଦଳର ଅନ୍ୟ ନେତାମାନେ ଗ୍ରହଣ କରି ପାରୁ ନାହାନ୍ତି । ଯାହା ପୁଣି ଆଜି ସର୍ବସମ୍ମୁଖକୁ ଆସିଛି ।

ପରୀ ହତ୍ୟା ଘଟଣାରେ କଂଗ୍ରେସ ପ୍ରାରମ୍ଭିକ ଅବସ୍ଥାରେ ବହୁ ବଡବଡ କଥା କହିବା ପରେ ନୀରବି ଯିବାକୁ ନେଇ ଦଳ ଦୁଇ ଫାଲ ହୋଇଛି । ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ପ୍ରମୁଖ ଏହି ଘଟଣାରୁ ଦୂରେଇ ଯାଇଥିବା ବେଳେ ଜଟଣୀ ବିଧାୟକ ସୁର ରାଉତରାୟ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂଂହ ସାଲୁଜା ପ୍ରମୁଖ ଦଳର ନିରବତାକୁ ନେଇ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୂର୍ବରୁ ଏକ ଚ୍ୟାନେଲରେ ଶ୍ରୀ ସିଂହ ଖୋଲାଖୋଲି କହିଥିଲେ ଦଳର ବରିଷ୍ଠ ନେତା ବିଜେଡି ସହ ମିଶି ବିଭିନ୍ନ ମାମଲାରେ କମ୍ପରମାଇଜ କରୁଛନ୍ତି । ଏହି କାର୍ଯ୍ୟରେ ଅନ୍ୟମାନଙ୍କୁ ଡକାଯାଉନାହିଁ । ୨-୩ ଜଣ ନେତା ବିଜେଡି ସହ ଡିଲ କରି ନେଉଛନ୍ତି, ଯାହାକୁ ଦଳର ବହୁ ନେତା ଗ୍ରହଣ କରି ପାରୁନଥିଲେ ମଧ୍ୟ ଦିଲ୍ଲୀ ଦରବାରର ନିର୍ଦ୍ଦେଶ ମାନି ଚୁପ ବସିବାକୁ ବାଧ୍ୟ ହେଉଛନ୍ତି । ଯାହା ଆଜି ପ୍ରଭାରୀଙ୍କ ଉପସ୍ଥିତିରେ ବିଧାୟକଙ୍କ ଛୁ ମାରିବା ପରେ ଦଳୀୟ ନେତାଙ୍କ ମଧ୍ୟରେ ଥିବା ଚାପା ଅସନ୍ତୋଷ ଦେଖିବାକୁ ମିଳିଛି ।