କନ୍ଧମାଳରେ ମନ୍ତ୍ରୀଙ୍କ ତତ୍ପରତା, ଶୂନ୍ୟ ମୃତ୍ୟୁହାର ଉପରେ ଗୁରୁତ୍ୱ

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ କନ୍ଧମାଳ ଜିଲ୍ଲାରେ ବଢ଼ିଛି ପ୍ରଶାସନିକ ତତ୍ପରତା। ବାତ୍ୟାର ମୁକାବିଲା ସହ ଜନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇଛି ଜିଲ୍ଲା ପ୍ରଶାସନ। ଏହି ପରିପ୍ରେକ୍ଷୀରେ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିବା ସହ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା ପାଇଁ କନ୍ଧମାଳ ଗସ୍ତରେ ଆସିଛନ୍ତି ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ।ଫୁଲବାଣୀ ସଦ୍‌ଭାବନା ସଭାଗୃହରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ବାତ୍ୟା ମୁକାବିଲାର ପ୍ରସ୍ତୁତି ଓ ଜରୁରୀକାଳୀନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମନ୍ତ୍ରୀ। ଜିଲ୍ଲାରେ ଯେପରି ଗୋଟିଏ ବି ଜୀବନହାନି ନ ହୁଏ, ସେଥିପାଇଁ ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟ ନେଇ ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।କନ୍ଧମାଳ ଜିଲ୍ଲା ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଫୁଲବାଣୀରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଧାୟକ ଉମାଚରଣ ମଲ୍ଲିକ, ଜିଲ୍ଲାପାଳ ବେଦ ଭୂଷଣ, ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ରଖିବା ସହ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାର ୧୯୮ ଜଣ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୧୩ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସୂଚନା ମିଳିଛି।ବାତ୍ୟା ଓ ପ୍ରବଳ ବର୍ଷାର ଆଶଙ୍କାକୁ ଦେଖି କନ୍ଧମାଳର ଦୁଇଟି ଘାଟି ରାସ୍ତାରେ ଯାତାୟାତ ବନ୍ଦ କରାଯାଇଛି। ଏଥିସହ ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଛି। ଘନ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ପ୍ରବଳ ପବନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହେବା ସହ ଘରଦ୍ୱାର କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି। ଆବଶ୍ୟକ ପଡ଼ିଲେ ଓଡ୍ରାଫ୍‌ ଟିମ୍‌କୁ ମଧ୍ୟ ମୁତୟନ କରାଯିବ।