ମୁକ୍ତିଲାଭ କରିବ ଦ୍ୱିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’

ଜୁଲାଇ ୮ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମୁକ୍ତିଲାଭ କରିବ ଦ୍ୱିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ ।

(ଭୁବନେଶ୍ୱର) : ଜୁଲାଇ ୮ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମୁକ୍ତିଲାଭ କରିବ ଦ୍ୱିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ । ସାରା ଦେଶରେ ୫୦ଟି ପ୍ରେକ୍ଷାଳୟରେ ‘ମାୟାଦର୍ପଣ’ ମୁକ୍ତିଲାଭ କରିବ । ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ଏହି ସିନେମାଟି ପ୍ରଥମେ ହିନ୍ଦୀ ଭାଷାରେ ସାରା ଭାରତରେ ବଡ଼ ପରଦାକୁ ଆସିବ ବୋଲି ପ୍ରଯୋଜିକା ଝରଣା ସାମଲ କହିଛନ୍ତି ।

ମା’ର ସ୍ନେହ ମମତାକୁ ନେଇ ସିନେମାଟି ନିର୍ମାଣ କରାଯାଇଛି । ପ୍ରତିଟି ପରିବାରରେ ଘଟୁଥିବା ଘଟଣାକୁ ଏଥିରେ ସ୍ଥାନ ଦିଆଯାଇଛି । ଏହା ସମ୍ପୂର୍ଣ୍ଣ ପାରିବାରିକ ସିନେମା ଓ ସପରିବାର ଏହାକୁ ଦେଖିହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି । ଶିଶୁ କଳାକାର ଭାବେ ଅଂଶୁମାନ, ତାପସ, ଭାଗ୍ୟଲକ୍ଷ୍ମୀ ପ୍ରମୁଖ ଅଭିନୟରେ ନିଜ ପ୍ରତିଭା ଦେଖାଇଛନ୍ତି । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ମହାନ୍ତି । ରଞ୍ଜନ କୁମାର ଦାସ ଚଳଚ୍ଚିତ୍ରର କାହାଣୀ ରଚନା କରିଥିବାବେଳେ କ୍ରିଏଟିଭ୍‌ ହେଡ୍‌ ରହିଛନ୍ତି ପ୍ରଣୟ ଜେଠୀ ।

ସୂଚନାନୁଯାୟୀ , ଅଭିନେତ୍ରୀ ପ୍ରତିଭା ପଣ୍ଡା ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜିକା ଥିବାବେଳେ ମା’ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ, ପୂଜା, କୁନା ତ୍ରିପାଠୀ, ଜୀବନ ପଣ୍ଡା, ରତନ ମେହେର, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଏହି ସିନେମାରେ ଅଭିନୟ କରିଛନ୍ତି ।