ହରିୟାଣାରେ ବହୁଚର୍ଚ୍ଚିତ ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ। ବରିଷ୍ଠ IAS ଅଧିକାରୀ ପଙ୍କଜ ଅଗ୍ରୱାଲଙ୍କୁ ଗିରଫ କରିଛି CBI। ପ୍ରାୟ ୬୦ କୋଟି ୫୪ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ ଅଭିଯୋଗରେ ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି। ତଦନ୍ତରେ ଅଗ୍ରୱାଲଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଓ ଠୋସ୍ ପ୍ରମାଣ ମିଳିଥିବା ଦାବି କରିଛି ସିବିଆଇ। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯିବ।

ପଙ୍କଜ ଅଗ୍ରୱାଲ ହରିୟାଣା ସରକାରର ସ୍କୁଲ ଶିକ୍ଷା ବିଭାଗ ଓ କୃଷି ବିଭାଗରେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ। ଅଭିଯୋଗ ଅନୁଯାୟୀ, ତାଙ୍କ କାର୍ଯ୍ୟକାଳ ସମୟରେ ଚଣ୍ଡିଗଡ଼ର IDFC First Bankର ସେକ୍ଟର-୩୨ ଶାଖାରେ ହରିୟାଣା ସ୍କୁଲ ଶିକ୍ଷା ପ୍ରକଳ୍ପ ପରିଷଦ ଏବଂ ହରିୟାଣା ରାଜ୍ୟ କୃଷି ମାର୍କେଟିଂ ବୋର୍ଡ ନାମରେ ଆକାଉଣ୍ଟ ଖୋଲାଯାଇଥିଲା। ପରେ ନିୟମ ଉଲ୍ଲଂଘନ କରି ଏହି ଆକାଉଣ୍ଟଗୁଡ଼ିକୁ ବିପୁଳ ପରିମାଣର ସରକାରୀ ପାଣ୍ଠି ସ୍ଥାନାନ୍ତର କରାଯାଇଥିବା ତଦନ୍ତରେ ସାମ୍ନାକୁ ଆସିଛି।

ସିବିଆଇ ତଦନ୍ତରୁ ଜଣାପଡ଼ିଛି ଯେ ଜାଲିଆତି ଓ ଷଡଯନ୍ତ୍ର ମାଧ୍ୟମରେ ଏହି ଦୁଇ ବିଭାଗର ପାଣ୍ଠିର ଅପବ୍ୟବହାର କରାଯାଇଥିଲା। ଏହା ଫଳରେ ସରକାରଙ୍କୁ ୬୦.୫୪ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଏହି ମାମଲା କେବଳ ୬୦ କୋଟି ଟଙ୍କାରେ ସୀମିତ ନୁହେଁ, ବରଂ ହରିୟାଣାର ଆଠଟି ସରକାରୀ ବିଭାଗରୁ ପ୍ରାୟ ୫୦୪ କୋଟି ଟଙ୍କା ଉଠାଇ ସେଲ୍ କମ୍ପାନୀଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିବା ମହାଠକେଇର ଏକ ଅଂଶ ବୋଲି ଜଣାପଡ଼ିଛି।

ଏହି ବଡ଼ ଘୋଟାଲା ସାମ୍ନାକୁ ଆସିବା ପରେ ହରିୟାଣା ସରକାର ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ। ତଦନ୍ତ ସମୟରେ ବ୍ୟାଙ୍କ ଅଧିକାରୀ, ସରକାରୀ କର୍ମଚାରୀ ଓ ବେସରକାରୀ କମ୍ପାନୀଙ୍କ ସଂପୃକ୍ତତା ମଧ୍ୟ ସାମ୍ନାକୁ ଆସିଛି। ସିବିଆଇ ଏପର୍ଯ୍ୟନ୍ତ୧୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ସେମାନଙ୍କ ମଧ୍ୟରେ IDFC First Bank ଓ AU Small Finance Bankର 6 ଜଣ ବ୍ୟାଙ୍କ ଅଧିକାରୀ, ହରିୟାଣା ସରକାରର ୩ ଜଣ କର୍ମଚାରୀ, ୨ଟି କମ୍ପାନୀ ଓ ଅନ୍ୟାନ୍ୟ ବ୍ୟକ୍ତି ସାମିଲ ଅଛନ୍ତି।
ଏହି ମାମଲାର ତଦନ୍ତ ଆହୁରି ଜୋରଦାର ହୋଇଥିବା ବେଳେ ଆଗାମୀ ଦିନରେ ଆଉ କିଛି ବଡ଼ ନାମ ସାମ୍ନାକୁ ଆସିପାରେ ବୋଲି ଆଶଙ୍କା କରାଯାଉଛି।