ଭୁବନେଶ୍ଵର: ୨୦ ଲକ୍ଷ ପାଇଁ ପୋଲିସ କନଷ୍ଟେବଲ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି । ବିଧାନସଭାରେ ମୁଲତବି ଆଲୋଚନାରେ ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ଅଭିଯୁକ୍ତ ଦୀପକ ରାଉତଠାରୁ ୨୦ ଲକ୍ଷ ଦାବି କରିଥିଲେ ଶୁଭମିତ୍ରା । ଶୁଭମିତ୍ରା ରୀତି ଅନୁସାରେ ବିବାହ ପାଇଁ ୨୦ ଲକ୍ଷ ଦାବି କରିଥିଲେ ବୋଲି କହିଛନ୍ତି ମନ୍ତ୍ରୀ ।

ଏତଦବ୍ୟତୀତ ଆହୁରି ଏକ ସାଂଘାତିକ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଦୀପକ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀକୁ ମଧ୍ୟ ହତ୍ୟା କରିଥିଲା । ବୀମା ଅର୍ଥ ପାଇବାକୁ ହତ୍ୟା କରିଥିଲା ଦୀପକ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଟ୍ରକ୍ ଦୁର୍ଘଟଣାରେ ମୃତ୍ୟୁ ହେଲା ବୋଲି ସେତେବେଳେ କୁହାଗଲା । ଯେଉଁ ଟ୍ରକ୍ ଦୁର୍ଘଟଣା କରିଥିଲା କୁହାଗଲା, ସେଦିନ ସେହି ଟ୍ରକ୍ ରାଉରକେଲାରେ ଥିଲା । ସେତେବେଳେ କାହା ସରକାର ଥିଲା, ସତ ଲୁଚାଇବାକୁ କିଏ ଚେଷ୍ଟା କରିଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।

ଆଇନ ମନ୍ତ୍ରୀ କହିଛନ୍ତି ଯେ ୨୦୧୮ ମସିହାରେ ଅଭିଯୁକ୍ତ ଦୀପକ ରାଉତ ନିଜ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ୨୦୨୨ ମସିହାରେ ବୀମା ଟଙ୍କା ହଡ଼ପ କରିବାକୁ ପ୍ରଥମ ପତ୍ନୀଙ୍କ ହତ୍ୟାକୁ କରିଥିଲା ଦୀପକ ରାଉତ । ସେତେବେଳେ ତଦନ୍ତ ସମୟରେ ବିଜେଡ଼ି ସରକାର ଥିଲା । ତଦନ୍ତ ସମୟରେ ଟ୍ରକ୍ ଧକ୍କାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । କିନ୍ତୁ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ଦିନ ରାଉରକେଲାରେ ଥିବା ଜଣାପଡିଥିଲା । ତେଣୁ ଅପର୍ଣ୍ଣାଙ୍କ ହତ୍ୟା କାହିଁକି ହୋଇଥିଲା ଏବଂ କାହା ସ୍ୱାର୍ଥରେ ହତ୍ୟାକୁ ଲୁଚାଇ ଦିଆଯାଇଥିଲା ତାହା ସ୍ପଷ୍ଟ ହେବା ଦରକାର ବୋଲି କହି ପୂର୍ବ ବିଜେଡ଼ି ସରକାରକୁ ଟାର୍ଗେଟ କରିଥିଲେ ପୃଥ୍ୱୀରାଜ ।