ଲ୍ୟାଣ୍ଡର ‘ବିକ୍ରମ’ ସୁରକ୍ଷିତ, ସମ୍ପର୍କ ସ୍ଥାପନ ପାଇଁ ଚେଷ୍ଟା ଚାଲିଛି : ଇସ୍ରୋ

(ରିପୋଟର୍ସ ଟୁଡେ, ନୂଆଦିଲ୍ଲୀ): ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରି ନପାରି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଖସିପଡିଥିବା ଜଣାପଡିଛି । ତେବେ ଏହାର କୌଣସି କ୍ଷତି ହୋଇନଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ସୁଚନା ଦେଇଛି । ମିଳିଥିବା ସୁଚନାନୁଯାୟୀ, ଅର୍ବିଟର ଦ୍ୱାରା ପଠାଯାଇଥିବା ଫଟୋ ଅନୁସାରେ ଲ୍ୟାଣ୍ଡର ବିକ୍ରମ ତାର ନିର୍ଦ୍ଦିଷ୍ଟ ପଥରୁ ବାହାରିଯାଇ ଗୋଟିଏ ପଟକୁ ଢଳି ପଡିଥିବା ଖବର ମିଳିଛି । ଏବେ ଏହା ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ରହିଛି । ଇସ୍ରୋର ବୈଜ୍ଞାନିକମାନେ ଲ୍ୟାଣ୍ଡର ବିକ୍ରମ ସହ ପୁନର୍ବାର ସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଯୋଗାଯୋଗ ସମ୍ଭବ ହେଲେ ଏହା ମଧ୍ୟରୁ ରୋଭର ପ୍ରଜ୍ଞାକୁ ବାହାରକୁ ଅଣାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏହାପରେ ଚନ୍ଦ୍ରଯାନ-୨ ମିଶନର ଅସମ୍ପୁର୍ଣ୍ଣ ଥିବା ୫ ପ୍ରତିଶତ କାର୍ଯ୍ୟ ସଫଳ ହୋଇପାରିବ ।
ରୋଭର ‘ପ୍ରଜ୍ଞା’ ଚନ୍ଦ୍ରପୃଷ୍ଠରେ ୧୪ ଦିନ ଘୁରି ବୁଲିବ ବୋଲି ପୁର୍ବରୁ ନିର୍ଦ୍ଧାରିତ ହୋଇଥିଲା । ଲ୍ୟାଣ୍ଡିଂ ସମୟରେ ମାତ୍ର ୨.୧ କିମି ଉପରୁ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ଯାହା ଫଳରେ ବିକ୍ରମ ନିର୍ଦ୍ଧାରିତ ସ୍ଥାନରେ ଲ୍ୟାଣ୍ଡ କରିପାରିନଥିଲା । ଇତି ମଧ୍ୟରେ ୩ ଦିନ ବିତିଯାଇଥିଲେ ହେଁ ଇସ୍ରୋ ଟିମ୍ ଆଶା ନ ହରାଇ ପୁନର୍ବାର ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଯୋଗାଯୋଗ ସଫଳ ହେଲେ ଏହା ଚନ୍ଦ୍ରପୃଷ୍ଠରେ ଅବଶିଷ୍ଟ ଦିନ ଘୁରି ବୁଲି ଗୁରୁତ୍ୱପୁର୍ଣ୍ଣ ତଥ୍ୟ ପ୍ରେରଣ କରିବ ।