ପ୍ରକୃତିର କୋପରେ ଅସ୍ତବ୍ୟସ୍ତ କେରଳ । ଏହି ରାଜ୍ୟ ସବୁଜ ବନାନୀରେ ଭରପୁର ହୋଇଥିବା ବେଳେ ପ୍ରତିବର୍ଷ କିଛି ନା କିଛି ବଡ଼ ବିପର୍ଯ୍ୟୟର ସାମ୍ନା କରୁଛନ୍ତି ଲୋକେ । ଏବର୍ଷ ପୁଣି ଥରେ ଏକ ବଡ଼ ବିପର୍ଯ୍ୟୟର ସାମ୍ନା କରିଛି କେରଳ । ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁଁ ଏବେ ସୁଦ୍ଧା ୧୪୩ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ବିପର୍ଯ୍ୟୟ କେରଳର ପୁରୁଣା କ୍ଷତକୁ ପୁଣି ମନେ ପକାଇ ଦେଇଛି, କାରଣରୁ କେରଳ ଅନେକ ଥର ଏଭଳି ବିପର୍ଯ୍ୟୟର ସାମ୍ନା କରିଛି ।

୨୦୧୮ ରେ କେରଳରେ ଭୟଙ୍କର ବନ୍ୟା
ଅଗଷ୍ଟ ୨୦୧୮ ରେ କେରଳରେ ଭୟଙ୍କର ବନ୍ୟା ହୋଇଥିବା । ଏହି ପ୍ରାକୃତିକ ବିପର୍ଯ୍ୟୟରେ କେରଳରେ ୪୮୩ ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହାକୁ ରାଜ୍ୟର ‘ଶତାବ୍ଦୀର ବନ୍ୟା’ କୁହାଯାଉଥିଲା । ଏହି ଭୟଙ୍କର ବିପର୍ୟ୍ୟୟ କେବଳ ଜୀବନ ନୁହେଁ ବରଂ ସମ୍ପତ୍ତି ଏବଂ ଜୀବିକା ମଧ୍ୟ ନଷ୍ଟ କରିଦେଇଥିଲା ।
ଏହାର ପ୍ରଭାବ ଏତେ ଥିଲା ଯେ କେନ୍ଦ୍ର ସରକାର ୨୦୧୮ର ବନ୍ୟାକୁ ‘ଡିଜାଷ୍ଟର ଅଫ୍ ସିରିୟସ୍ ନେଚର୍’ ଭାବରେ ଘୋଷଣା କରିଥିଲେ। ଏହି ଅଘଟଣ ପରେ ୩.୯୧ ଲକ୍ଷ ପରିବାରର ୧୪.୫୦ ଲକ୍ଷରୁ ଅଧିକ ଲୋକଙ୍କୁ ରିଲିଫ୍ କ୍ୟାମ୍ପରେ ଥଇଥାନ କରାଯାଇଥିଲା। ସମୁଦାୟ ୫୭,୦୦୦ ହେକ୍ଟର କୃଷି ଫସଲ ନଷ୍ଟ ହୋଇଯାଇଥିଲା । ୨୦୧୮ ରେ ଭାରତୀୟ ବାୟୁସେନା ହେଲିକପ୍ଟର ଦ୍ୱାରା ଗର୍ଭବତୀ ମହିଳାଙ୍କୁ ବିମାନ ଉଡ଼ାଣ କରାଯାଉଥିବା ଚିତ୍ର କେରଳବାସୀଙ୍କ ମନରେ ଏବେ ବି ସତେଜ ରହିଛି ।
କେରଳ ସରକାରଙ୍କ ଅନୁଯାୟୀ, ରାଜ୍ୟ ସମୁଦାୟ ଜନସଂଖ୍ୟାର ଏକ ଷଷ୍ଠ ଭାଗ ବନ୍ୟା ଏବଂ ଆନୁଷଙ୍ଗିକ ଘଟଣା ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଥିଲେ। ୨୦୧୮ ର ଭୟଙ୍କର ବନ୍ୟା ପରେ ରାଜ୍ୟ ଧୀରେ ଧୀରେ ସଳଖି ଛିଡ଼ା ହେଉଥିବା ବେଳେ ୨୦୧୯ ରେ ଆଉ ଏକ ବିପର୍ଯ୍ୟୟ ଘଟିଥିଲା ,ଯେତେବେଳେ ୱାୟନାଡର ପୁଥୁମାଲା ଠାରେ ଏକ ଭୂସ୍ଖଳନ ଘଟି ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା।

ଅକ୍ଟୋବର ୨୦୨୧ରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ
ସେହିପରି ଅକ୍ଟୋବର ୨୦୨୧ରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ରାଜ୍ୟର ଇଡୁକି ଏବଂ କୋଟାୟାମ ଜିଲ୍ଲାରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ୨୦୨୧ ମସିହାରେ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି କେରଳରେ ୫୩ ଜଣଙ୍କ ଜୀବନ ଯାଇଥିଲା
।
ଅଗଷ୍ଟ ୨୦୨୨ ରେ ଭୂସ୍ଖଳନ ଓ ବନ୍ୟା
ରାଜ୍ୟ ସରକାରଙ୍କ କହିବାନୁସାରେ, ଠିକ୍ ଗୋଟିଏ ବର୍ଷ ପରେ ଅଗଷ୍ଟ ୨୦୨୨ ରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଦ୍ୱାରା ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା, ଶହ ଶହ ସମ୍ପତ୍ତି ଏବଂ ହଜାର ହଜାର ଲୋକ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର ହୋଇଥିଲେ।
ମିନିଷ୍ଟ୍ରି ଅଫ୍ ଆର୍ଥ ସାଇନ୍ସ ଅନୁଯାୟୀ, ୨୦୧୫ ରୁ ୨୦୨୨ ମଧ୍ୟରେ ଦେଶରେ ଘଟିଥିବା ୩,୭୮୨ ଭୂସ୍ଖଳନ ମଧ୍ୟରୁ କେରଳରେ ସର୍ବାଧିକ ୨,୨୩୯ ଭୂସ୍ଖଳନ ରେକର୍ଡ କରାଯାଇଛି।