କାଠ ଗାଡି ଜବତ

ଦୀପକ ମିଶ୍ର/ ଉଦଳା : ବିପୁଳ ପରିମାଣର ମୂଲ୍ୟବାନ କାଠ ସହିତ ଟ୍ରକ୍ ଜବତ । ଖସିଗଲେ ୫ ଚୋରା ଚାଲାଣକାରୀ । ବିଶେଷସୂତ୍ରରୁ ଖବର ପାଇ ଉଦଳା ବନବିଭାଗ ଆଜି ଭୋର ସମୟରେ ବନାଂଚଳ ଅଧିନ ମାର୍ଶିଙ୍ଗା-ଦାମୋଦରପୁର ରାସ୍ତାରେ ଚଢାଉ କରିଥିବା ବେଳେ ବେଆଇନ ଭାବେ ଚୋରା କାଠ ନେଇ ବାଲେଶ୍ୱର ଚାଲାଣ କରୁଥିବା ଏକ ୪୦୭ ଟ୍ରକକୁ ପୋଲିସ୍ ଜବତ କରିଥିଲା । ବନବିଭାଗ କର୍ମଚାରୀଙ୍କୁ ଦେଖି ଗାଡି ଡ୍ରାଇଭର ସମେତ ଥିବା ୫ ଜଣ ଚୋରା ଚାଲାଣକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ବନବିଭାଗ କେବଳ ଟ୍ରକ୍ ଏବଂ କାଠ ଜବତ କରିପାରିଥିଲା । ଜବତ କାଠ ମଧ୍ୟରେ ୨୩ ଗୋଟି କାଠର ଲଗ୍ ରହିଥିବା ବେଳେ ସେଗୁଡିକ ଗମ୍ଭାରୀ ଏବଂ ନିମ୍ବ ପ୍ରଜାତିର ବୋଲି ଜଣାଯାଇଛି । ଜବତ ଟ୍ରକ୍ ଏବଂ କାଠକୁ ବନବିଭାଗ କାର୍ଯ୍ୟାଳୟକୁ ଆଣିଥିବା ବେଳେ ଅଭିଯୁକ୍ତମାନେ ବନବିଭାଗକୁ ଚକମା ଦେଇ ଖସିଯାଇଛନ୍ତି । ଜବତ କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି କହିଛି ବନବିଭାଗ ।