ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋ ମିଳିତ ଉଦ୍ୟମରେ ତିଆରି ହେବ ଷ୍ଟିଲ ପ୍ଳାଣ୍ଟ

ଢ଼େଙ୍କାନାଳରେ ହେବ ଷ୍ଟିଲ ପ୍ଳାଣ୍ଟ । ଜେଏସ୍‌ଡବ୍ଲ୍ୟୁ  ଓ  ପୋସ୍କୋ ମିଳିତ ଉଦ୍ୟମରେ ତିଆରି ହେବ ଷ୍ଟିଲ ପ୍ଳାଣ୍ଟ । ପ୍ରସ୍ତାବିତ ପ୍ଲାଣ୍ଟରୁ ୬ ମିଲିଅନ ଟନର ଉଚ୍ଚ ମାନର ଫ୍ଲାଟ ଷ୍ଟିଲ ନିର୍ମିତ ହେବ । ଢେଙ୍କାନାଳ ଠାରେ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜମି ଚିହ୍ନଟ ହୋଇ ସାରିଛି । ସେଠାରେ କମ୍ପାନି ପାଖରେ ପୂର୍ବରୁ ଜମି ଥିବା ଜେଏସ୍‌ଡବ୍ଲ୍ୟୁ ଜଣାଇଛି । ନୂଆଦିଲ୍ଲୀ ଠାରେ ଓଡ଼ିଶାରେ ଏକ ଗ୍ରୀନଫିଲ୍ଡ ଇସ୍ପାତ କାରଖାନା ସ୍ଥାପନ ପାଇଁ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ଓ ଦକ୍ଷିଣ କୋରିଆର ପୋସ୍କୋ ମଧ୍ୟରେ ‌ଯୌଥ ଉଦ୍ୟୋଗ ସ୍ଥାପନକୁ ନେଇ ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଉଭୟ କମ୍ପାନୀର ମିଳିତ ୫୦ ପ୍ରତିଶତ ଅଂଶଧନ ରହିବ । ୩୫ ହଜାର କୋଟି ଟଙ୍କା ନିବେଶ ହେବା ନେଇ ସୂଚନା ରହିଛି । ୨୦୩୧ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ ରହିଛି ।

ସୋମବାର ନୂଆଦିଲ୍ଲୀରେ ଭାରତ-କୋରିଆ ବ୍ୟବସାୟ ଫୋରମରେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, କୋରିଆ ଗଣରାଜ୍ୟର ଶିଳ୍ପ, ବାଣିଜ୍ୟ ଏବଂ ସମ୍ବଳ ମନ୍ତ୍ରୀ ଜଙ୍ଗ-ୱାନ୍ କିମ୍, JSW ଗ୍ରୁପର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଏବଂ POSCO ଅଧ୍ୟକ୍ଷ ଚାଙ୍ଗ ଇନ-ହ୍ୱା ଏବଂ ଉଭୟ କମ୍ପାନୀର ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କ ଉପସ୍ଥିତିରେ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି ।

ପୂର୍ବରୁ ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ନିର୍ମାଣ ହେବ ବୋଲି କଳ୍ପନା ଜଳ୍ପନା କରାଯାଉଥିଲା । କିନ୍ତୁ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ପକ୍ଷରୁ ଆଜି ସୂଚନା ଦିଆଯାଇଛି ଯେ ପ୍ରସ୍ତାବିତ କାରଖାନା ଢେଙ୍କାନାଳ ଜିଲ୍ଲାରେ ସ୍ଥାପନ କରାଯିବ। ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ସମ୍ପୂର୍ଣ୍ଣ ସହାୟକ କମ୍ପାନି ସାଫ୍ରନ୍‌ ‌ରିସୋ‌ର୍ସେସ୍‌ ଜରିଆରେ ଢେଙ୍କାନାଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ୨୦୨୫ରେ ଏହି କମ୍ପାନିକୁ ଜେଏସ୍‌ଡବ୍ଲ୍ୟୁ ଅଧିଗ୍ରହଣ କରିଥିଲା । ଜେଏସ୍‌ଡବ୍ଲ୍ୟୁ‌-ପୋସ୍କୋ ପ୍ରକଳ୍ପ ଓଡ଼ିଶା ପାଇଁ ବିଶେଷ ଗୁରୁତ୍ବ ରଖୁଛି । କାରଣ ୫୨ ହଜାର କୋଟି ଟଙ୍କା ନିବେଶରେ ୧୨ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏକ ବିଶାଳ ଇସ୍ପାତ କାରଖାନା ବସାଇବା ପାଇଁ ୧୨ ବର୍ଷ ସଂଘର୍ଷ କରି ବିଫଳ ହୋଇଥିବା ପୋସ୍କୋ ପୁଣି ଥରେ ଓଡ଼ିଶା ଫେରୁଛି ।

JSW & Posco consider Odisha to set up integrated steel plant | Bhubaneswar  News - Times of India