ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଠାକୁରଙ୍କ ଦର୍ଶନ ଓ ସକାଳ ଆଳତୀ ଦର୍ଶନ ସକାଶେ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। କାର୍ତ୍ତିକ ମାସ ଏକ ପବିତ୍ର ଓ ପୁଣ୍ୟ ମାସ ହୋଇଥିବାରୁ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ଆଜି ବଳୀ ବାମନ ଓ ବଡ଼ଭାଇ ବଳଭଦ୍ର ପର୍ଶୁରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସାଥିରେ ପୂଜା ପାଉଛନ୍ତି ଭଉଣୀ ଦେବୀ ସୁଭଦ୍ରା ଓ ସୁଦର୍ଶନ। ଠାକୁରଙ୍କର ଏହି ଅପୂର୍ବ ଦର୍ଶନ ପାଇଁ ଭକ୍ତମାନେ ସମାଗମ ହୋଇଛନ୍ତି। ଭୋର ୩.୪୦ରୁ ଠାକୁରଙ୍କ ଦ୍ୱାର ଖୋଲି ନୀତିକାନ୍ତି, ପୂଜାର୍ଚ୍ଚନା ଆରମ୍ଭ ହୋଇ ସକାଳ ଆଳତୀ ଷୋଡ଼ଶ ଉପଚାର ପୂଜା ବାଲ୍ୟ ଭୋଗ ପ୍ରଭୃତି ହୋଇଯାଇଛି। ଏହି ପବିତ୍ର ଚତୁର୍ଦ୍ଦଶୀ ତିଥିରେ ଭକ୍ତମାନେ ନଡିଆ, କଦଳୀ ଧୂପ, ଦୀପ,ଚନ୍ଦନ,ତୁଳସୀ ମାଳ, ପଦ୍ମଫୁଲ ମାଳ ପ୍ରଭୃତି ପୂଜା ସାମଗ୍ରୀ ନେଇ ମନ୍ଦିରରେ ଠାକୁରଙ୍କ ପୂଜା କରିଛନ୍ତି। ତୁଳସୀ ମାଳ ଓ ପଦ୍ମଫୁଲ ମାଳରେ ଠାକୁରଙ୍କୁ ସଜା ଯାଇଛି। ହରି ନାମ ସଂକୀର୍ତ୍ତନ ହେଉଛି। ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।