ଓଡ଼ିଶାର ବରପୁତ୍ରମାନଙ୍କ ଜନ୍ମସ୍ଥାନକୁ ସ୍ମାରକୀ ପୀଠ ଓ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ବରପୁତ୍ର ଐତିହ୍ୟ ଗ୍ରାମ’ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ପ୍ରତ୍ୟେକ ବରପୁତ୍ରଙ୍କ ଜନ୍ମସ୍ଥାନ ଓ ଗ୍ରାମର ବିକାଶ ପାଇଁ ୧୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟୟର ବ୍ୟବସ୍ଥା ରହିଛି। ଯୋଜନାର ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱର ପଞ୍ଚାୟତର ଦିକ୍ଷିତପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ ଭାଷା ଆନ୍ଦୋଳନର କର୍ଣ୍ଣଧାର ତଥା ପ୍ରଥମ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରତିଷ୍ଠାତା କର୍ମବୀର ଗୌରୀଶଙ୍କର ରାୟଙ୍କ ଜନ୍ମସ୍ଥଳୀକୁ ସାମିଲ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ଲିପ୍ସିତା ମିଶ୍ର, ନିଶ୍ଚିନ୍ତକୋଇଲି ବିଡିଓ ଦ୍ୟୁବେନ୍ଦ କୁମାର ଦାସ ସେଠୀ, ଅତିରିକ୍ତ ତହସିଲଦାର ଅଭୟ କୁମାର ପ୍ରତିହାରୀ, ରାଜସ୍ୱ ନିରୀକ୍ଷକ ଏବଂ ଅସୁରେଶ୍ୱର ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅନନ୍ତ କୁମାର ଦାସ ପ୍ରମୁଖ ଦିକ୍ଷିତପଡ଼ାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଅଧିକାରୀମାନେ କର୍ମବୀରଙ୍କ ଏନ୍ତୁଡ଼ିଶାଳ ଓ ଜନ୍ମସ୍ଥାନର ରୂପାନ୍ତରଣ ସହ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବିଦ୍ୟାଳୟ ଏବଂ ଆଖପାଖରେ ଥିବା ସରକାରୀ ଜମିର ବିକାଶ ନେଇ ସମ୍ଭାବ୍ୟ ନକ୍ସା ପ୍ରସ୍ତୁତ କରିଥିଲେ। କର୍ମବୀରଙ୍କ ଦ୍ୱାରା ଗଢ଼ା ବିଦ୍ୟାଳୟକୁ ଏକ ମଡେଲ ବିଦ୍ୟାଳୟରେ ପରିଣତ କରିବା ପାଇଁ ମଧ୍ୟ ଭବନ ନିର୍ମାଣର ପ୍ରାଥମିକ ନକ୍ସା ପ୍ରସ୍ତୁତ କରାଯାଇଥିଲା।
ଏହି ବିକାଶ କାର୍ଯ୍ୟ ପାଇଁ ଅଧିକ ଜମିର ଆବଶ୍ୟକତା ପଡ଼ିଲେ ସରକାର ଜମି କ୍ରୟ କରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଯୋଜନା କାର୍ଯ୍ୟକାରୀ ହେଲେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜନ୍ମସ୍ଥଳୀ ଏକ ଐତିହ୍ୟସମ୍ପନ୍ନ ସ୍ମାରକୀ ପୀଠ ଭାବେ ବିକଶିତ ହେବା ସହ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ବୋଲି ଆଶା କରାଯାଉଛି।