ଓଡ଼ିଶାରୁ ଇଣ୍ଡୋନେସିଆ ଫେରି ଯାଇପାରନ୍ତି ୫ ଶିଶୁ ଓରାଙ୍ଗଉଟାନ୍‌ !

ଓଡ଼ିଶାର ଏକ ଜଙ୍ଗଲ ଭିତରୁ ମିଳିଥିବା ପାଞ୍ଚଟି ଶିଶୁ ଓରାଙ୍ଗଉଟାନ୍‌କୁ ନେଇ ଏବେ ଆନ୍ତର୍ଜାତୀୟ ବିବାଦ ସୃଷ୍ଟି ହୋଇଛି । ଉଦ୍ଧାର ୫ ଶିଶୁ ଓରାଙ୍ଗଉଟାନ୍‌ଙ୍କୁ ଇଣ୍ଡୋନେସିଆ ଫେରାଇ ଆଣିବାକୁ ଦାବି କରୁଥିବା ବେଳେ ତଦନ୍ତକାରୀ ଅଧିକାରୀମାନେ ଏଥିରେ ସୀମାପାର୍‌ ବନ୍ୟପ୍ରାଣୀ ଚୋରା ଚାଲାଣର ଲିଙ୍କ ସମ୍ଭାବନା ଥିବା ସନ୍ଦେହ କରୁଛନ୍ତି। ଦକ୍ଷିଣ-ପୂର୍ବ ଏସିଆରେ ଥିବା ସେମାନଙ୍କର ପ୍ରାକୃତିକ ଆବାସସ୍ଥଳୀଠାରୁ ବହୁ ଦୂରରେ, ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ରେଞ୍ଜ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ସମୟରେ ସେପ୍ଟେମ୍ବର ୮ ତାରିଖରେ ବନ ବିଭାଗ କର୍ମଚାରୀମାନେ ଏହି ଶିଶୁ ଓରାଙ୍ଗୁଟାନ୍‌ଗୁଡ଼ିକୁ ଦେଖିବାକୁ ପାଇଥିଲେ।

ଏହି ପ୍ରାଣୀମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନଙ୍କୁ ପଶୁ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଇଣ୍ଡୋନେସିଆର ଜଙ୍ଗଲ ମନ୍ତ୍ରଣାଳୟ କହିଛି ଯେ, ପ୍ରାଥମିକ ଆକଳନ ଅନୁଯାୟୀ ଉଦ୍ଧାର ହୋଇଥିବା ଏହି ଶିଶୁ ଓରାଙ୍ଗଉଟାନ୍‌ ଗୁଡିକ ‘ସୁମାତ୍ରାନ୍ ଓରାଙ୍ଗୁଟାନ୍’ ହୋଇପାରନ୍ତି । ଯାହା ଇଣ୍ଡୋନେସିଆର ଏକ ବିଲୁପ୍ତପ୍ରାୟ ପ୍ରଜାତି ଅଟେ। ତେବେ, ଡିଏନ୍‌ଏ (DNA) ପରୀକ୍ଷା ପରେ ହିଁ ସେମାନଙ୍କର ପ୍ରକୃତ ପ୍ରଜାତି ଏବଂ ଉତ୍ସ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ।

ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜଙ୍ଗଲ ମନ୍ତ୍ରଣାଳୟର ମୁଖପାତ୍ର ରିସ୍ତିଆଣ୍ତୋ ପ୍ରିବାଦି ଶୁକ୍ରବାର ଦିନ ଏକ ସମ୍ବାଦ ସଂସ୍ଥାକୁ କହିଛନ୍ତି ଯେ ଜାକର୍ତ୍ତା ଏହି ପ୍ରାଣୀମାନଙ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ସହ ଯୋଗାଯୋଗ କରିସାରିଛି। ସେ କହିଛନ୍ତି, “ଜଙ୍ଗଲ ବିଭାଗ ଜାକର୍ତ୍ତାସ୍ଥିତ ଭାରତୀୟ ଦୂତାବାସ ମାଧ୍ୟମରେ ଭାରତ ସରକାରଙ୍କ ସହ ଯୋଗାଯୋଗ ଆରମ୍ଭ କରିସାରିଛି।”

ଓଡ଼ିଶାର ଜଙ୍ଗଲ ବିଭାଗ ଅଧିକାରୀମାନେ କହିଛନ୍ତି ଯେ, ଏହି ଓରାଙ୍ଗଉଟାନ୍‌ ଗୁଡ଼ିକ କିପରି ଜଳେଶ୍ୱର ଜଙ୍ଗଲରେ ପହଞ୍ଚିଲେ ସେନେଇ ତଦନ୍ତ ଚାଲିଛି ଏବଂ ଏଥିରେ ଆନ୍ତର୍ଜାତୀୟ ଚୋରା ଚାଲାଣର ସମ୍ଭାବ୍ୟ ସମ୍ପୃକ୍ତିକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ। ଅନ୍ୟପକ୍ଷରେ, ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ପୋଲିସର ଏସଟିଏଫ୍ (STF)ର ବନ୍ୟପ୍ରାଣୀ ଶାଖା ଏକ ମାମଲା ରୁଜୁ କରିଛି ଏବଂ ଏହି ଶିଶୁ ପ୍ରାଇମେଟ୍‌ ଗୁଡ଼ିକର ଉତ୍ସ ଓ ଗନ୍ତବ୍ୟ ସ୍ଥଳ ସମ୍ପର୍କରେ ଜାଣିବା ପାଇଁ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି।