ଭାଙ୍ଗୁଛି ଆମେରିକା ସ୍ୱପ୍ନ : ଭିସା ସଂକଟରେ ଭାରତୀୟ ଛାତ୍ରଛାତ୍ରୀ ଓ ପେଶାଜୀବୀ ଅସୁବିଧାରେ

ନୂଆଦିଲ୍ଲୀ: ଆମେରିକାରେ ଉଚ୍ଚଶିକ୍ଷା ଓ ଭଲ ଚାକିରିର ସ୍ୱପ୍ନ ଦେଖୁଥିବା ଭାରତୀୟ ଯୁବପିଢ଼ୀ ପାଇଁ ୨୦୨୫ ବର୍ଷଟି ଭାରି କଠିନ ଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ ଭିସା ନୀତି କଠୋର ହେବା ପରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଆମେରିକା ଯିବା ହାରରେ ପ୍ରାୟ ୭୫ ପ୍ରତିଶତ ହ୍ରାସ ଦେଖାଯାଇଛି। ଶିକ୍ଷା ପରାମର୍ଶଦାତା ସଂସ୍ଥାମାନଙ୍କ କହିବା ଅନୁସାରେ, ଫଲ୍ ସେସନ୍‌ (ଅଗଷ୍ଟ–ଅକ୍ଟୋବର) ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭିସା ଇଣ୍ଟରଭ୍ୟୁ ସ୍ଲଟ୍ ଅଭାବ ଓ କଠିନ ଯାଞ୍ଚ ପ୍ରକ୍ରିୟା ଯୋଗୁଁ ଅନେକ ଛାତ୍ର ନିଜ ଯୋଜନା ରୋକିବାକୁ ବାଧ୍ୟ ହୋଇଛନ୍ତି।

ସ୍ପ୍ରିଙ୍ଗ୍ ସେସନ୍‌ରେ ଆଶ୍ଵସ୍ତି ମିଳିବ ବୋଲି ଆଶା ଥିଲେ ମଧ୍ୟ ପରିସ୍ଥିତି ଅପରିବର୍ତ୍ତିତ ରହିଲା। ସୋସିଆଲ୍ ମିଡିଆ ଯାଞ୍ଚ ଆରମ୍ଭ ହେବା ପରେ ଛାତ୍ରଛାତ୍ରୀ ଓ ଭିସା ଧାରକମାନଙ୍କ ମଧ୍ୟରେ ଭୟ ଓ ଅନିଶ୍ଚୟତା ବଢ଼ିଛି। ଏହାସହ ଆଗରୁ ଆମେରିକାରେ ପଢ଼ୁଥିବା ହଜାର ହଜାର ଛାତ୍ରଙ୍କ ଭିସା ବି ରଦ୍ଦ ହୋଇଛି। H-1B ଭିସା ଉପରେ କଠୋର ନୀତି, ଅଧିକ ଶୁଳ୍କ ଓ ନୂଆ ନିୟମ ଯୋଗୁଁ ଭାରତୀୟ IT ପେଶାଜୀବୀମାନେ ମଧ୍ୟ ଚାପରେ ରହିଛନ୍ତି। ବିଶେଷଜ୍ଞମାନେ କହୁଛନ୍ତି, ଏହି ପରିବର୍ତ୍ତନ ଭାରତୀୟ ଯୁବମାନଙ୍କ ଭବିଷ୍ୟତ ଯୋଜନାକୁ ନୂଆ ଦିଗରେ ଭାବିବାକୁ ବାଧ୍ୟ କରୁଛି।