ଭୁବନେଶ୍ୱରରେ ହକି ଇଣ୍ଡିଆ ଟିମ୍; ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ବର : ହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ହକି ଟିମକୁ ଭବ୍ୟ ସ୍ବାଗତ କରାଯାଇଛି । ଅଧିନାୟକ ହରମିନପ୍ରୀତ ସିଂହଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ୍ ଟିମ୍ ।  ଭୁବନେଶ୍ବର ପରେ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ସଂଧ୍ୟା ସୁଦ୍ଧା ରାଉରକେଲାରେ ପହଞ୍ଚିବେ ଟିମ୍ ଇଣ୍ଡିଆ ।  ବିଶ୍ୱକପର ପ୍ରଥମ ଦଳ ଭାବେ ଘରୋଇ ଦଳ ରାଉରକେଲାରେ ପହଞ୍ଚିବ । ଏହି ଅବସରରେ ରାଉରକେଲାରେ ଅଭ୍ୟାସ ମ୍ୟାଚ୍ ଖେଳିପାରନ୍ତି ଭାରତୀୟ ହକି ଟିମ୍ । ଜାନୁଆରୀ ପ୍ରଥମ ସପ୍ତାହରୁ ବିଦେଶୀ ଦଳ ଗୁଡ଼ିକ ଭୁବନେଶ୍ୱର ଓ ରାଉକେଲାରେ ପହଞ୍ଚିବେ ।

ବିଶ୍ବକପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ମ୍ୟାଚ୍ । ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏ ଭୁବନେଶ୍ବର ଓ ରାଉରକେଲାରେ ମ୍ୟାଚ୍ ଖେଳାଯିବ । ସୂଚନାଯୋଗ୍ୟ , ଭାରତ ଆସନ୍ତା ୧୩ ତାରିଖରେ ବିଶ୍ୱକପ୍‌ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ସ୍ପେନ୍ ବିପକ୍ଷରେ ଆରମ୍ଭ କରିବ। ସେହିପରି ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଭାରତୀୟ ଟିମ୍‌ ଜାନୁଆରି ୧୯ ତାରିଖରେ ୱେଲ୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବ।