ଭୁବନେଶ୍ଵର-ଓଡିଶାରେ ଦେବଗଡ ସହରରେ ଜନ୍ମ ଗ୍ରହଣ କରିଥିବା ବରିଷ୍ଠ ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ଟାଞ୍ଜାନିଆରେ ଭାରତରେ ଉଚ୍ଚାୟୁକ୍ତ ଭାବେ ଭାରତ ସରକାର ନିଯୁକ୍ତ କରିଛନ୍ତି । ଏ ସମ୍ପର୍କରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।ଶ୍ରୀ ପ୍ରଧାନ ଦେବଗଡ ଆରବିଡି ବିଦ୍ୟାଳୟରୁ ପାଠ ପଢି ଜିଏମ ମହାବିଦ୍ୟାଳୟରେ ଅଧ୍ୟୟନ କରିବା ସହିତ ଜେଏନୟୁରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ସୂଚାନଯୋଗ୍ୟ, ଶ୍ରୀ ପ୍ରଧାନ ୨୦୧୯ରୁ ଋଷର ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ୍ ଭାବେ ଅବସ୍ଥାପିତ ଅଛନ୍ତି । ସେ ଖୁବ ଶୀଘ୍ର ନୂଆ ପଦ ଗ୍ରହଣ କରିବେ । ଜଣେ ଦକ୍ଷ ଏବଂ ବିଶିଷ୍ଟ କୁଟନୀତିଜ୍ଞ ଭାବରେ ସେ ୨୦୦୪ ରୁ ୨୦୧୨ ପର୍ୟ୍ୟନ୍ତ ମୋସ୍କୋ, ତୁର୍କମେନିସ୍ତାନ ଏବଂ ପାକିସ୍ତାନର ଭାରତୀୟ ଦୂତାବାସରେ ବରିଷ୍ଠ ପଦବୀରେ କାର୍ୟ୍ୟ ସମ୍ପାଦନ କରିଛନ୍ତି ।
୨୦୧୨ରୁ ୨୦୧୪ ପର୍ୟ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଆଫଗାନିସ୍ତାନ ଓ ଇରାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ କାର୍ୟ୍ୟ କରିଥିଲେ । ପରବର୍ତ୍ତୀ ପର୍ୟ୍ୟାୟରେ ସେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମଧ୍ୟ କାର୍ୟ୍ୟ କରିଥିଲେ । ଏହି ଖବର ପାଇବା ପରେ ତାଙ୍କ ବନ୍ଧୁ, ପରିବାର ଏବଂ ଅଞ୍ଚଳବାସୀଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଶୁଭେଚ୍ଛାର ସୁଅ ଛୁଟିଛି ।