ଅଭିଶାପ ଭୟରେ ଗାଁରେ ନାହିଁ ଦୁଇ ମହଲା କୋଠା

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ରାଜସ୍ଥାନର ଚୁରଠାରେ ଥିବା ଉଡସର ଗାଁରେ ପ୍ରାୟ ସମସ୍ତ ଘର ଏକ ମହଲା। ଏବେ ଲୋକେ ବହୁତଳ ପ୍ରାସାଦ ନିର୍ମାଣ କରିବାକୁ ପସନ୍ଦ କରୁଥିବା ବେଳେ ଏହି ଗାଁର ଦୃଶ୍ୟ କିନ୍ତୁ ସବୁଠାରୁ ନିଆରା। ତେବେ ଏହା ପଛର କାରଣ ସଭିଙ୍କୁ ଆଶ୍ଚର୍ୟ୍ୟ କରେ। ଲୋକକଥା ଅନୁଯାୟୀ, ୭ଶହ ବର୍ଷ ପୂର୍ବେ ଏହି ଗାଁରେ ଭୋମିଆ ନାମକ ଜଣେ ବ୍ୟକ୍ତି ଥିଲେ। ଦିନେ ଉକ୍ତ ଗାଁରେ କିଛି ଚୋର ପଶି ସେଠାରେ ଥିବା ଗୃହପାଳିତ ପଶୁଙ୍କୁ ଚୋରି କରିବାକୁ ଆରମ୍ଭ କଲେ। ଏହା ଦେଖି ଭୋମିଆ ଚୋରଙ୍କୁ ଧରିବାକୁ ସେମାନଙ୍କ ପିଛା କରିଥିଲେ। ଏମିତି ପିଛା କରୁ କରୁ ସେ ତାଙ୍କ ଶ୍ୱଶୁର ଘର ଗାଁରେ ପହଞ୍ଚି ଯାଇଥିଲେ। ହେଲେ ଭୋମିଆ ଚୋରଙ୍କୁ ପିଛା କରୁଥିବା ସେମାନେ ଜାଣିପାରି ତାଙ୍କୁ ପାଲଟା ଆକ୍ରମଣ କରିବାକୁ ଆସିଥିଲେ। ଭୟରେ ଭୋମିଆ ଶ୍ୱଶୁରଘର ଗାଁରେ ଥିବା ଏକ ଦୁଇ ମହଲା ଘରେ ଯାଇ ଲୁଚି ଯାଇଥିଲେ। ଶେଷରେ ଚୋରମାନେ ତାଙ୍କୁ ଖୋଜି ପାଇବା ପରେ ଭୋମିଆଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲେ। ଏମିତି ଭାବେ ସେମାନେ ଭୋମିଆଙ୍କୁ ଆକ୍ରମଣ କରିଥିଲେ ଯେ ତାଙ୍କ ମୁଣ୍ଡ ଛିଡିଯାଇ କୁଆଡେ ନିଜ ଗାଁ ବା ଉଡସରରେ ପଡିଥିଲା। ଏହା ଦେଖିବା ପରେ ତାଙ୍କ ସ୍ତ୍ରୀ ରାଗିଯାଇ ଅଭିଶାପ ଦେଇଥିଲେ କି ଏହି ଗାଁରେ କେହି ୨ମହଲା ଘର କରିପାରିବେ ନାହିଁ। ସେବେଠାରୁ ଲୋକେ ଏହାକୁ ଅଭିଶାପ ବୋଲି ବିଶ୍ୱାସ କରି ଏପର୍ୟ୍ୟନ୍ତ କେହି ଭୟରେ ୨ମହଲା ଘର ନିର୍ମାଣ କରୁ ନ ଥିବା କୁହାଯାଏ।