ପୁରୀ/ ସଞ୍ଜୟ ମହାପାତ୍ର: ଆଜି ହେଉଛି ପବିତ୍ର ଚିତାଲାଗି ଅମାବାସ୍ୟା । ପରମ୍ପରା ଅନୁସାରେ ଶ୍ରାବଣ ଅମାବାସ୍ୟା ତିଥିରେ ଶ୍ରୀଜିଉଙ୍କୁ ରତ୍ନ ଚିତାଲାଗି କରାଯାଇଥାଏ । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ସକାଳଧୁପ ବଢି ପ୍ରଥମ ଭୋଗମଣ୍ଡପ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ସୁବର୍ଣ୍ଣର ଚିତାଲାଗି କରିଥାନ୍ତି । ସ୍ନାନପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ମସ୍ତକରୁ ଖୋଲାଯାଇଥିବା ଦୁର୍ମୁଲ୍ୟ ରତ୍ନ ଚିତାଲାଗିପରେ ଅତି ସୁନ୍ଦର ଦୃଶ୍ୟମାନ ହୋଇଥାନ୍ତି ମହାପ୍ରଭୁ। ସେପଟେ ଆଜି ଚିତୋଉ ଅମାବାସ୍ୟା ରହିଥିବାରୁ କୋଠଭୋଗ ସୁଆରଙ୍କ ପକ୍ଷରୁ ସ୍ୱତନ୍ତ୍ର ଚିତୋଉ ପିଠା ଭୋଗ ନୀତି ହେବ । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ଦୁର୍ମୁଲ୍ୟ ରତ୍ନ ଚିତାକୁ ଆଜି ଲଗାଇବେ। ଆଜି ଯେତେବେଳେ ସକାଳଧୁପ ବଢି ପ୍ରଥମ ଭୋଗମଣ୍ଡପ ପରେ ସୁଦ୍ଧସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଓଷ ମାଧ୍ୟମରେ ଚାରିବାଡଗ୍ରାହୀ ଓ ଦଇତାପତିମାନେ ଦୀର୍ଘ ୪ ଘଣ୍ଟାଧରି ମହାପ୍ରଭୁଙ୍କ ଏହି ନିତି ସମ୍ପର୍ଣ୍ଣ କରିବେ । ମହାପ୍ରଭୁ ଜଗନ୍ନାଥଙ୍କ ମସ୍ତକରେ ବ୍ରହ୍ମଜ୍ୟୋତି ହୀରା, ବଳଭଦ୍ରଙ୍କୁ ନୀଳ ଓ ସୁଭଦ୍ରାଙ୍କୁ ଦୁର୍ମୂଲ୍ୟ ପାନ୍ନା ଖଚିତ ରତ୍ନଚିତା ଲାଗି କରାଯିବ । ଚିତା ଲାଗି ନୀତି ନେଇ ଦିନ ୨ ଟାରୁ ସଂଧ୍ୟା ୬ ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।