ଉତ୍କଳ ବିଲ୍‌ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ, ଟିକସ ଫାଙ୍କିବା ଅଭିଯୋଗରେ ରେଡ୍

ଭୁବନେଶ୍ଵର: ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍‌ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ । ମଙ୍ଗଳବାର ସକାଳୁ ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଛି । ଟିକସ ଫାଙ୍କିବା ଅଭିଯୋଗରେ ଏହି ରେଡ୍ କରାଯାଉଛି । ଏଥିରେ ମୋଟ ୧୮ଟି ଟିମରେ ୧୨୦ ଆୟକର ଅଧିକାରୀ ସାମିଲ ହୋଇଛନ୍ତି ।

ଆଜି ଭୋର୍ ୪ଟା ବେଳେ ହଠାତ୍ ଆୟକର ଟିମ୍ ଭୁବନେଶ୍ବର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଚଢ଼ାଉ ଆରମ୍ଭ କରିଥିଲେ। ଏଥିସହ ୧୪ଟି ସ୍ଥାନରେ ଚାଲିଛି ଚଢ଼ାଉ । ୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଚାଲିଛି ଆୟକର ବିଭାଗର ଛାନଭିନ। ଚଢ଼ାଉରେ ନିୟୋଜିତ ଅଛନ୍ତି ୧୨୦ ଅଫିସର। ଆକାଉଣ୍ଟାଣ୍ଟଙ୍କୁ ଘାଣ୍ଟୁଛି ଓ ପାର୍ଟନରମାନଙ୍କୁ ପଚରାଉଚରା କରୁଛି ଟିମ୍।

ସେହିପରି ମାଲିକ ସୁବାଷ ଭୁରାଙ୍କ ପୁଅ ରାକେଶ ଭୁରାଙ୍କର ସହିଦନଗରରେ ଥିବା ବାସଭବନରେ ଯାଞ୍ଚ ହେଉଛି । ଯାଞ୍ଚ ସମୟରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ନଗଦ ଟଙ୍କା ମିଳିଥିବା ଜଣାପଡ଼ିଛି । ଉତ୍କଳ ବିଲଡର୍ସ କୋଟି କୋଟି ଟଙ୍କା ଆୟକର ଫାଙ୍କି ଥିବା କୁହାଯାଉଛି । ତେବେ ଏ ନେଇ ଆଇଟି ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇ ନାହିଁ ।