ଶ୍ରୀକାକୁଲମ ଦଳାଚକଟା, ଜଣେ ଓଡ଼ିଆ ଯୁବତୀ ମୃତ

ଅମରାବତୀ: ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଦଳାଚକଟାରେ ଓଡ଼ିଆ ଯୁବତୀ ମୃତ । ମୃତକ ଯୁବତୀ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଗୁଡ଼ିପଦର ବ୍ଲକ୍‌ର । କାଶୀବୁଗା ସ୍ଥିତ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ବୁଲି ଯାଇଥିଲେ ଯୁବତୀ । ଯୁବତୀଙ୍କ ସହ ଯାଇଥିବା ଆଉ ଜଣେ ମହିଳା ମଧ୍ୟ ଦଳାଚକଟାରେ ଗୁରୁତର ।

ଖବର ମୁତାବକ, ଶ୍ରୀକାକୁଲମ ଭେଙ୍କଟେଶ୍ବର ମନ୍ଦିରରେ କାର୍ତ୍ତିକ ମାସ ଯୋଗୁଁ ପ୍ରବଳ ମାତ୍ରାରେ ଶ୍ରଦ୍ଧାଳୁ ଭିଡ଼ ଲାଗିରହିଥିଲା । ଭିଡ଼ ଏତେ ଥିଲା ଯେ, ପ୍ରଶାସନ ସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଲା ନାହିଁ । ଶ୍ରଦ୍ଧାଳୁ ଧକ୍କାଧକ୍କି ହୋଇ ପରସ୍ପର ଉପରେ ପଡ଼ିଥିଲେ । ଫଳରେ ଦଳାଚକଟା ସ୍ଥିତି ଦେଖାଦେଇଥିଲା । ଦଳାଚକଟାରେ ୯ ଜଣଙ୍କ ଜୀବନ ଚାଲିଯାଇଛି । ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା । ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାୟଡୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କୁ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହିଛି । ରାଜ୍ୟ କୃଷି ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ମନ୍ଦିର କର୍ତ୍ତୃପକ୍ଷ ସହିତ କଥା ହୋଇଛନ୍ତି ।