ଇତିହାସ, ସଂସ୍କୃତି, ଆଧ୍ୟତ୍ମିକତା ଭୁଟାନ, ଭାରତକୁ ନିକଟତର କରୁଛି: ମୋଦି

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନରେ କହିଛନ୍ତି ଭାରତ ବ୍ୟାପକ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଦେଖୁଛି। ରୟାଲ୍‌ ୟୁନିଭର୍ସିଟି ଅଫ୍‌ ଭୁଟାନ୍‌ ଠାରେ ବିଦ୍ୟାର୍ଥୀମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯୁବ ଭାରତର ସ୍ୱପ୍ନ ଓ ଆକାଂକ୍ଷା ଦେଶରେ ତାଙ୍କ ସରକାର ଆରମ୍ଭ କରିଥିବା ବିଭିନ୍ନ ପରିବର୍ତ୍ତନ ଓ ସଂସ୍କାରର ଏକ ଅଂଶ ବିଶେଷ।
ଭାରତରେ ସମ୍ପ୍ରତ୍ତି ଦାରିଦ୍ର୍ୟ ଦୂରିକରଣ ଦୃତ ଗତିରେ ଚାଲିଛି । ଗତ ୫ ବର୍ଷରେ ଭିତ୍ତିଭୂମି ନିର୍ମାଣ ବେଗ ଦ୍ୱିଗୁଣିତ ହୋଇଛି । ଆୟୁଷ୍ମାନ ଭାରତ ୫୦୦ ନିୟୁତ ଭାରତୀୟଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରତିଶ୍ରୁତି ଦେଇଛି। ବିଶ୍ୱରେ ସବୁଠୁ ଶସ୍ତା ଡାଟା ସଂଯୋଗକାରୀଙ୍କ ମଧ୍ୟରେ ଭାରତ ରହିଛି। ମୋଦି ଆହୁରି କହିଛନ୍ତି, ଏକ୍ଜାମ୍‌ ଓ୍ଵାରିଅର୍‌ରେ ମୁଁ ଲେଖିଥିବା ଅଧିକାଂଶ କଥା ଭଗବାନ ବୁଦ୍ଧଙ୍କ ଶିକ୍ଷା ଉପରେ ଆଧାରିତ। ବିଶେଷକରି, ସାକାରତ୍ମକତାର ଗୁରୁତ୍ୱ, ଭୟ ଲଙ୍ଘନ ଏବଂ ଏକପ୍ରାଣ ହୋଇ ବଞ୍ଚିବା କଥା ଏଥିରେ ଉଲ୍ଲେଖ ରହିଛି।
ମୋଦି ଭୁଟାନ ସହ ସମ୍ପର୍କ ଉପରେ କହିଛନ୍ତି, ଭାରତ ଓ ଭୁଟାନବାସୀ ପରସ୍ପରଙ୍କ ସହ ନିବିଡ଼ତା ଅନୁଭବ କରୁଛନ୍ତି। ଆମର କେବଳ ନିବିଡ଼ତା ପଡୋଶୀ ହୋଇଥିବାରୁ ନୁହେଁ। ଆମ ଇତିହାସ, ସଂସ୍କୃତି ଏବଂ ଆଧ୍ୟତ୍ମିକ ପରମ୍ପରା ପ୍ରାୟତଃ ସମାନ । ଯାହା ଆମକୁ ନିକଟତର କରିବାରେ ସାହାଯ୍ୟ କରିଛି ।