(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଗିରିଶ ଚନ୍ଦ୍ର ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ଜାମ୍ମୁ କାଶ୍ମୀର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ ଗିତା ମିତ୍ତଲ ଶ୍ରୀନଗର ସ୍ଥିତ ରାଜଭବନରେ ମୁର୍ମୁଙ୍କୁ ପଦ ଏବଂ ଗୋପନୀୟତାର ଶପଥ ଦେଇଛନ୍ତି । ଗୁଜୁରାଟ କ୍ୟାଡରର ଏହି ୧୯୮୫ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱସ୍ତଙ୍କ ମଧ୍ୟରୁ ଜଣେ । ତେଣୁ ସେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ସଚିବ ପଦରେ କାର୍ଯ୍ୟ କରିଥିଲେ । ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ତାଙ୍କ ମୁଖ୍ୟ ସଚିବ ଥିଲେ । କେନ୍ଦ୍ର ସରକାରରେ ସେ ସରକାରୀ ଖର୍ଚ୍ଚ କାଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହା ପରେ ସେ କେନ୍ଦ୍ର ସରକାର ଦ୍ୱାରା ପ୍ରାୟୋଜିତ ବିଭିନ୍ନ ଯୋଜନାର ବିଳୟ କରିବା ଓ କିଛିରେ ସ୍ଥଗିତାଦେଶ ଆଣିବାର କଥା କହିଥିଲେ । ସେ ରାଜସ୍ୱ, ରାଜକୋଷୀୟ କ୍ଷତି ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରଖିବା ଉପରେ ଜୋର ଦେଇଥିଲେ ।