ବୈପାରିଗୁଡା/ ଯୋଗେନ୍ଦ୍ର ପଟ୍ଟନାୟକ: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତ ପଡାପଦର ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣା ସ୍ବାସ୍ଥ୍ୟ ଶିବିର । ୧୮୦ ବାଟାଲିୟନର ବିଏସଏଫ ତରଫରୁ ଯବାନଙ୍କ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଦ୍ଵିତୀୟ କମାଣ୍ଡୋ ସତେନ୍ଦ୍ର ପାଠକଙ୍କ ତତ୍ବାବଧାନରେ ଆୟୋଜିତ ଏହି ସ୍ବାସ୍ଥ୍ୟ ଶିବିରରେ ପଡାପଦର ଆଖପାଖ ଗ୍ରାମର ୨୧୫ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକ ଅନୁସାରେ ମାଗଣା ଔଷଧ ମଧ୍ୟ ପ୍ରଦାନ କରିଥିଲେ। ଏହି ଶିବିରରେ ଡେପୁଟି କମାଣ୍ଡୋ ରୋଜନ ସିଂ ଏବଂ କମ୍ପାନୀ କମାଣ୍ଡର ଇନ୍ସପେକ୍ଟର କୁମାର ଧିରଜଙ୍କ ସହ ଦଣ୍ଡାବାଡି ସରପଞ୍ଚ ଚେଣ୍ଡିଆ ଖିଲ, ସ୍ଥାନୀୟ ଓ୍ବାର୍ଡ ସଭ୍ୟ ଏବଂ ବିଭିନ୍ନ ଗ୍ରାମର ମହିଳା ଓ ଶିଶୁ ଏବଂ ପୁରୁଷ ଉପସ୍ଥିତ ଥିଲେ। ୧୮୦ ବାଟାଲିୟନର ବିଏସଏଫ ଯବାନ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିର ବିଏସଏଫ ଜନସଂପର୍କ କାର୍ଯ୍ୟକ୍ରମର ଅଂଶ ବିଶେଷ ବୋଲି ଦ୍ବିତୀୟ କମାଣ୍ଡୋ ସତେନ୍ଦ୍ର ପାଠକ ପ୍ରକାଶ କରିଛନ୍ତି। ଏଥିସହିତ ଶ୍ରୀ ପାଠକ ପ୍ରକାଶ କରିଛନ୍ତି ଯେ, ବ୍ଲକର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ରହିଥିବା ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ବିଏସଏଫର ମୂଳ ଲକ୍ଷ୍ୟ। ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଜୀବନଯାପନରେ ପରିବର୍ତ୍ତନ ଆଣିବା ପାଇଁ ସମସ୍ତଙ୍କୁ ସହଯୋଗ ପ୍ରଦାନ କରାଯିବ ଏବଂ ନିର୍ଭୀକ ହେବା ପାଇଁ ଉତ୍ସାହିତ କରାଯିବ। ଏଭଳି ସ୍ବାସ୍ଥ୍ୟ ଶିବିର ବିଭିନ୍ନ ସ୍ଥାନରେ କରାଯିବ ବୋଲି କୁହାଯାଇଛି।