ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଭାରତର ପୂର୍ବତନ କ୍ରିକେଟର ତଥା ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ଯଶପାଲ ବର୍ମାଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ମାତ୍ର ୬୬ ବର୍ଷ ବୟସରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁରେ ଭାରତୀୟ କ୍ରିକେଟ ଜଗତରେ ଖେଳିଯାଇଛି ଶୋକର ଛାୟା । ୧୯୫୪ ଅଗଷ୍ଟ ୧୧ରେ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ ଯଶପାଲ ।
ଭାରତ ପାଇଁ ମୋଟ ୩୭ଟି ଟେଷ୍ଟ ଏବଂ ୪୨ଟି ଦିନିକିଆ ଖେଳିବା ସହ ଯଶପାଲ ୧୯୮୩ ବିଶ୍ୱକପ ଜିତିବାରେ ଭାରତ ପାଇଁ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସେ ୮୯ ରନ୍ ସଂଗ୍ରହ କରି ଭାରତକୁ ବିଜୟ କରାଇଥିଲେ । ସେମିଫାଇନାଲରେ ଇଂଲଣ୍ଡ ବିରୁଦ୍ଧରେ ତାଙ୍କର ୬୧ ରନ ବଳରେ ଭାରତ ଇଂଲଣ୍ଡକୁ ମଧ୍ୟ ମାତ ଦେଇଥିଲା । ଏହା ବ୍ୟତୀତ ୩୪ଟି ଟେଷ୍ଟରୁ ୧୬୦୬ ଏବଂ ଦିନିକିଆରେ ୮୮୩ ରନ ସଂଗ୍ରହ କରିଛନ୍ତି ଯଶପାଲ । ତେବେ ବିଶ୍ୱକପ ପରେ ତାଙ୍କ କ୍ୟାରିୟର ନିମ୍ନଗାମୀ ହେବାରୁ ପ୍ରଥମେ ଟେଷ୍ଟ ଏବଂ ପରେ ଦିନିକିଆ ଦଳରୁ ସେ ବାଦ ପଡିଥିଲେ ।