ଦୀର୍ଘ ଦିନ ହେଲା ନିଯୁକ୍ତି ଦାବୀ କରି ଶାନ୍ତିପୂର୍ଣ୍ଣ ଧାରଣାରେ ୧୦ ପରିବାର ସଦସ୍ୟ

ଅନୁଗୁଳ/ ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ଥାନା କୁଲେଇ ସ୍ଥିତ ଓପିସିଏଲ୍ କମ୍ପାନୀରେ ସୂରକ୍ଷାକର୍ମୀ ନିଯୁକ୍ତିଦାବୀରେ ଆନ୍ଦୋଳନକୁ ଓହ୍ଲାଇ ଛନ୍ତି ଦଶ ପରିବାର ସଦସ୍ୟ। ଓପିସିଏଲ କମ୍ପାନୀର ଟାଳଟୁଳ ନିତିକୁ ବିରୋଧକରି କୁଲେଇ ଗ୍ରାମର ଜମିହରା ବେକାରୀ ଯୁବକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଜିକୁ ୮୧ଦିନରେ ପହଁଚିଥିବାବେଳେ କୌଣସି ସମାଧନ ସୂତ୍ର ବାହାରି ନଥିବା ଜଣାଯାଇଛି। ଗତ ୯ ଜୁନ ଠାରୁ ନିଜର ଅଧିକାର ପାଇଁ ୮୧ ଦିନ ହେଲା ଲଢେ଼ଇ କରୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଓପିସିଏଲ କମ୍ପାନୀ ମଧ୍ୟରେ ମଧୁଚନ୍ଦ୍ରିକା ଜଳ ଜଳ ଦିସୁଛି ବୋଲି ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ। ଫଳରେ କୌଣସି ସମାଧାନର ରାସ୍ତା ବାହାରୁନଥିବା ଧାରଣା କାରୀ ଅଭିଯୋଗ ଆଣି ଆଜି ନିଜର ଅସନ୍ତୋଷ ଗଣମାଧ୍ୟମ ଆଗରେ ବଖାଣିଛନ୍ତି। ଏହି ଶାନ୍ତିପୂର୍ଣ୍ଣ ଧରଣାରେ ସେମାନଙ୍କର ସପରିବାର ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି। ଯଦି ଶିଘ୍ର ନିଯୁକ୍ତି ସମସ୍ୟା ସମାଧାନ ନହୁଏ ତେବେ ବାଧ୍ୟହୋଇ ସପରିବାର ଆତ୍ମାହୂତି ଦେବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନ କାରୀ।

ଆନ୍ଦୋଳନକାରୀଙ୍କ ଅଭିଯୋଗ ମୁତାବକ, ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ କୁଲେଇ ଠାରେ ଓପିସିଏଲ୍ ନାମକ ଏକ ବିଦ୍ୟୁତ୍ କମ୍ପାନୀ ଗଢି ଉଠିଥିଲା। କମ୍ପାନୀ ପକ୍ଷରୁ ନିଯୁକ୍ତି ପ୍ରତିଶ୍ରୁତି ଦେଇ କୁଲେଇ ଗ୍ରାମର ୨୨ ଜଣ ବେକାରୀ ଯୁବକଙ୍କୁ ଗତ ୨୨ଜୁନ ୨୦୦୫ରେ ଟାଟା ଜାମସେଦପୁର ଅଭିମୁଖେ ସିକ୍ୟୁଟିଗାର୍ଡ ପ୍ରଶିକ୍ଷଣ ପାଇଁ ପଠାଯାଇଥିଲା। ସାମାଜିକ ଦାୟିତ୍ବବୋଧ ଜରିଆରେ ଓପିସିଏଲ୍ କମ୍ପାନୀ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷଣପ୍ରାପ୍ତ ୨୨ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଅନ୍ୟତ୍ର ସିକ୍ୟୁଟିଗାର୍ଡ କାମ କରୁଛନ୍ତି। ଏବଂ କମ୍ପାନୀ ପକ୍ଷରୁ ୬ଜଣଙ୍କୁ ନିଯୁକ୍ତି ମିଳୁଥିବାବେଳେ ଅନ୍ୟ ୧୦ଜଣଙ୍କୁ ଆଜିକାଲି ନିଯୁକ୍ତି ଦେବାକୁ କହି କମ୍ପାନୀ କର୍ତ୍ତୃପକ୍ଷ ଠକି ଆସୁଛନ୍ତି। ତେବେ ପ୍ରଶାସନିକ ଅଧିକାରୀଙ୍କ ଅହେତୁକ ନୀରବତା ନେଇ ଚିନ୍ତା ପ୍ରକଟ କରିଛନ୍ତି ଆନ୍ଦୋଳନକାରୀଙ୍କ ପରିବାର ବର୍ଗ ।

ଅନ୍ୟପଟେ ଏନେଇ ଓପିସିଏଲ୍ କର୍ମିକ ଅଧିକାରୀ ରାହାସ ବିହାରୀ ସାହୁଙ୍କ ମତାମତ ନେବାରୁ ସେ କୁହନ୍ତି ଭ୍ୟାକେନ୍ସି ହେଲେ ନିଯୁକ୍ତି ଦିଆଯିବ। ଏନେଇ ଗତ ୨୭ ଜୁଲାଇରେ ତାଳଚେର ଉପଜିଲ୍ଲାପାଳଙ୍କ ପାଖରେ ଏକ ବୈଠକ ବସିଥିଲା ।