ଏଆଇଏଫ୍ଏଫ୍କୁ ବାସନ୍ଦ କଲା ଫିଫା
ଭୁବନେଶ୍ବର, ନବି ମୁମ୍ବାଇ ଓ ଗୋଆରେ ହେବାକୁ ଥିଲା, ଓଡ଼ିଶା ଫୁଟ୍ବଲ୍ ପ୍ରେମୀ ଓ ଖେଳାଳି ନିରାଶ
ଭୁବନେଶ୍ୱର : ଭାରତୀୟ ଫୁଟ୍ବଲ୍କୁ ମଙ୍ଗଳବାର ଶକ୍ତ ଝଟ୍କା ଲାଗିଛି। ଅଲ୍ ଇଣ୍ଡିଆ ଫୁଟବଲ ଫେଡେରସନ ବା AIFFକୁ ସସପେଣ୍ଡ କଲା ବିଶ୍ୱ ପୁଟବଲର ଶୀର୍ଷ ସଙ୍ଗଠନ । FIFA ବ୍ୟୁରୋ ଅଫ ଫିଫା କାଉନ୍ସିଲ ସର୍ବସମ୍ମତି କ୍ରମେ ଭାରତୀୟ ଫୁଟବଲ ସଂଘକୁ ନିଲମ୍ବନ ପାଇଁ ନିଷ୍ପତ୍ତି ନେଇଛି ଏବଂ ଏହାକୁ ତତ୍କାଳ ଲାଗୁ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛି । ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଆୟୋଜନ ଅଧିକାରକୁ ପ୍ରତ୍ୟାହାର କରିନେଇଛି। ‘ତୃତୀୟ ପକ୍ଷଙ୍କ ଅଯଥା ହସ୍ତକ୍ଷେପ’ ଅଭିଯୋଗ ଆଣି ଫିଫା ଏଭଳି କଠୋର ନିଷ୍ପତ୍ତି ନେଇଛି। ଏଆଇଏଫ୍ଏଫ୍ର ୮୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଫିଫା ବାସନ୍ଦାଦେଶ ଲାଗୁ କରିଛି।
ଫିଫା ପରିଷଦ ବ୍ୟୁରୋର ସର୍ବସମ୍ମତ ନିଷ୍ପତ୍ତି କ୍ରମେ ଏହି ନିର୍ଦେଶ ଲାଗୁ କରାଯାଇଛି। ଫିଫା ନିୟମାବଳୀକୁ ଏଆଇଏଫ୍ଏଫ୍ ସଂଘାତିକ ଭାବେ ଉଲ୍ଲଂଘନ କରୁଥିବାର ଅଭିଯୋଗ ଆସିଥିଲା। ଏଆଇଏଫ୍ଏଫ୍ର ସମସ୍ତ ଦୈନନ୍ଦିନ କାର୍ଯ୍ୟକଳାପକୁ ସିଓଏ (କମିଟି ଅଫ୍ ଆଡମିନିଷ୍ଟ୍ରେସନ୍) ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବା ପରେ ଏହି ନିଲମ୍ବନ ପ୍ରତ୍ୟାହାର କରାଯାଇପାରିବ ବୋଲି ମଧ୍ୟ ଫିଫା ସର୍ତ୍ତ ରଖିଛି।
ଚଳିତ ବର୍ଷ ମେ’ ମାସ ୧୮ ତାରିଖରେ ସୁପ୍ରିମକୋର୍ଟ ଏଆଇଏଫ୍ଏଫ୍ ସଭାପତି ପ୍ରଫୁଲ୍ଲ ପଟେଲଙ୍କୁ ବହିଷ୍କାର କରିବା ସହ ଏକ ୩ ଜଣିଆ ପ୍ରଶାସନିକ ସମିତି (ସିଓଏ) ଗଠନ କରିଥିଲା। ପୂର୍ବତନ ପ୍ରମୁଖ ବିଚାରପତି ଏଆର୍ ଡାଭ୍ ଏହାର ମୁଖ୍ୟ ରହିଛନ୍ତି। ଜାତୀୟ କ୍ରୀଡ଼ା ସଂହିତା ଓ ଆଦର୍ଶ ନିୟମାବଳୀ ଅନୁଯାୟୀ ସିଓଏ ମଧ୍ୟ ଏକ ନୂଆ ସମ୍ବିଧାନ ପ୍ରଣୟନ କରିଛି। ତଥାପି ଭାରତ ପାଇଁ ଫିଫା ଏହାର ସମସ୍ତ ବିକଳ୍ପ ବନ୍ଦ କରିନାହିଁ। କ୍ରୀଡ଼ା ମନ୍ତ୍ରାଳୟ ସହ ଫିଫା ଯୋଗାଯୋଗରେ ରହିଛି ଏବଂ ସକାରାତ୍ମକ ଦିଗ ପଦାକୁ ଆସିବ ବୋଲି ଆଶା ରଖିଛି।