ପରୀ ହତ୍ୟା ଘଟଣା ; ଯଦୁପୁରରେ ପହଞ୍ଚି ଆଲୋଚନା କଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା

ନୟାଗଡ– ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ମୃତ୍ୟୁ ମାମଲା ନେଇ ଆଜି ଅପରାହ୍ନରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ନୟାଗଡ଼ ଗସ୍ତ କରିଛନ୍ତି। ଜିଲ୍ଲା ସଦର ମହକୁମାରେ ଥିବା ସର୍କିଟ ହାଉସରେ ସେ ପରୀ ମୃତ୍ୟୁ ମାମଲା ନେଇ ଜିଲ୍ଲା ପୁଲିସ ପ୍ରାଶାସନ ସହିତ ଆଲୋଚନା କରିଛନ୍ତି । ଏହା ପରେ ସେ ଯଦୁପୁର ଗାଁକୁ ଯାଇଥିଲେ। ଯେଉଁ ସ୍ଥାନରେ ପରୀର ମୃତ୍ୟୁ ଘଟିଥିଲା, ସେହି ସ୍ଥାନରେ ପହଂଚି ଶ୍ରୀ ବୋଥ୍ରା ପାରିପାଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ।

ସୂଚନାଯୋଗ୍ୟ, ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଯଦୁପୁର ଗ୍ରାମକୁ ଗତକାଲି ବିଜେପିର ୨୨ ବିଧାୟକ ମଧ୍ୟରୁ ୨୦ ଜଣ ଗସ୍ତ କରିଥିଲେ। ପୂର୍ବରୁ ରାଜ୍ୟର ଏଭଳି କୌଣସି ପ୍ରସଙ୍ଗରେ ଗୋଟିଏ ଦଳର ପ୍ରାୟ ସମସ୍ତ ବିଧାୟକ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିବା ଦେଖାଯାଇନାହିଁ। ଯଦୁପୁର ଏକ ମିନି ବିଧାନସଭା ପାଲିଟିଛି ବୋଲି ଉପସ୍ଥିତ ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। ବିଧାନସଭା ବନ୍ଦ ହେଲା ବିଧାୟକଙ୍କ ଆମ ଗାଁ କୁ ସୁଅ ଛୁଟିଲା ବୋଲି ଗ୍ରାମବାସୀ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳିଥିଲା। ୨୦ ରୁ ଅଧିକ ଦାମୀ କାରରେ ଯଦୁପୁର ଗ୍ରାମ ଦାଣ୍ଡ ପୂରା ଭର୍ତ୍ତି ହୋଇଯାଇ ଥିଲା। କାଳେ କିଛି ଅଘଟଣ ଘଟିବ ତେଣୁ ଗ୍ରାମରେ ବନ୍ଧୁକଧାରୀ ପୁଲିସ ମୁତୟନ କରାଯାଇଥିଲା। ନୟାଗଡ଼ ଏସ୍ଡିପିଓ ନିରଞ୍ଜନ ପାଢୀ, ଇଟାମାଟି ଥାନା ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ, ସଦର ଥାନା ଆଇଆଇସି ରୀନାରାଣୀ ସାହୁ ପ୍ରମୁ୍ଖ ଉପସ୍ଥିତ ରହି ଗହଳି ଉପରେ ନଜର ରଖିଥିଲେ।