ବାଲିପାଟଣା/ବିଦ୍ୟା ଭୂଷଣ ଭୋଳ: ଜରିପାଲ ତଳେ ଜଳିଲା ଜୁଇ | ବର୍ଷ ବର୍ଷ ଧରି ସରକାର, ପ୍ରଶାସକ ଓ ବାଲିପାଟଣା ବ୍ଲକ ପମ୍ପାଲ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧିଙ୍କ ଅପାରଗତା ଓ ଅଯୋଗ୍ୟ କାରଣରୁ ଜରିପାଲ ତଳେ ଜଳିଲା ଜୁଇ | ହଁ କୁଳନ୍ତିରା ଗାଁ ସ୍ମଶାନର ଦୂରାବସ୍ଥା ଦୂର ହେଉ ନଥିବାରୁ ଶବ ସତ୍କାର ବେଳେ ଗ୍ରାମବାସୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଗତବର୍ଷ କୁଳନ୍ତିରା ଶାସନ ଗ୍ରାମର ପୂର୍ଣ୍ଣିମା ବେହେରାଙ୍କ ଶବ ସତ୍କାର ବେଳେ ପ୍ରବଳ ବର୍ଷା ହେବାରୁ ଜୁଇ ଉପରେ ଜରିପାଲ ଟାଣି ଶବଦାହ କରାଯାଇଥିଲା ଓ ଏହି ଘଟଣାକୁ ବାରମ୍ବାର ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଇଥିଲେ ବି କିଛି ଫରକ୍ ପଡ଼ିନଥିଲା | ପୁଣି ବର୍ତ୍ତମାନ ଆଉ ଏକ ଅନୁରୂପ ଘଟଣା ସେହି କୁଳନ୍ତିରା ଗ୍ରାମରେ ଘଟି ଯାଇଛି |
ସୂଚନା ଅନୁସାରେ କୁଳନ୍ତିରାଗ୍ରାମର ରମାକାନ୍ତ ଭୋଇଙ୍କ ପତ୍ନୀ ନନ୍ଦିନୀ ଭୋଇ ଗତମାସ ୨୩ ତାରିଖରୁ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ | ଗତ କାଲି ଅପରାହ୍ନରେ ନନ୍ଦିନୀଙ୍କର ମୃତ୍ୟୁ ଘଟିଥିଲା | ପରିବାର ସଦସ୍ୟ ମାନେ ହସ୍ପିଟାଲରୁ ମୃତଦେହ ଆଣି ସନ୍ଧ୍ୟାରେ ଗାଁରେ ପହଞ୍ଚିଥିଲେ | ଦକ୍ଷିଣୀ ପଡ଼ା ପୋଖରୀ ଉପରେ ଥିବା ଗାଁ ସ୍ମଶାନ ଟି ବଣ ଜଙ୍ଗଲରେ ପରିପୂର୍ଣ୍ଣ ହେଇଥିବା ବେଳେ ଆତ୍ମୀୟମାନେ ତୁରନ୍ତ ତରବରିଆ ଭାବେ ସଫାକରି ଶବଦାହ କରିବାକୁ ଯାଉଥିବା ସମୟରେ ପ୍ରବଳ ବର୍ଷା ପବନ ହୋଇଥିଲା | ତେଣୁ ଜୁଇ ଉପରେ ଜରିପାଲ ଟାଣି ଶବଦାହ କରାଯାଇଥିଲା | ଗ୍ରାମବାସୀ ମାନଙ୍କର କହିବା କଥା, ଗାଁ ସ୍ମଶାନର ଉନ୍ନତି ପାଇଁ ଆମେ ବ୍ଲକ ଓ ପଞ୍ଚାୟତରେ ବାରମ୍ବାର ଅଭିଯୋଗ କରିଥିଲେ ବି ସୁଫଳ ମିଳୁନି | ଜୁଇ ଉପରେ ଜରିପାଲ ଟାଣି ଶବଦାହ କରିବା ଆମର ପୁରୁଣା ଅଭ୍ୟାସ ବୋଲି ଗତକାଲି ଶବଦାହ କରୁଥିବା କିଛି ପୁରୁଖା ଗ୍ରାମବାସୀମାନେ କୋହଭରା କଣ୍ଠରେ କହିଛନ୍ତି |
ପ୍ରକାଶ ଥାଉ କି, କିଛିଦିନ ତଳେ ଏହି ସ୍ମଶାନରେ ଆଉ ଏକ ଶବଦାହ କରାଯାଉଥିବା ବେଳେ ହଠାତ୍ ଜୋରେ ବର୍ଷା, ପବନ, ଘଡଘଡି ମାରିବାରୁ ଶବକୁ ଦରପୋଡ଼ା ଛାଡି ଭୟରେ ପରିବାର ଲୋକେ ଚାଲି ଆସିଥିଲେ ଫଳରେ ଦରପୋଡ଼ା ଶବ ବିଲୁଆ, କୁକୁରଙ୍କ ମୁଁହରେ ପଡ଼ିଥିଲା | ଯାହା ବଡ ଦୁଃଖ ଓ ପରିତାପର ବିଷୟ | ଏଠି ଜଣେ ବରିଷ୍ଠ ନାଗରିକ ନିଜ ନାମ ଗୋପନ ରଖି କହିଛନ୍ତି ବାଲିପାଟଣା ବ୍ଲକ ଓ ପମ୍ପାଲ ପଞ୍ଚାୟତରେ ଅମୃତ ସରୋବର ପୋଖରୀ ଓ ବୃକ୍ଷ ରୋପଣ ନାଁରେ ନିମ୍ନ ମାନର କାମ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆତ୍ମସାତ କରାଯାଉଛି | ତେବେ ପ୍ରତି ଗାଁ ସ୍ମଶାନରେ ଗୋଟିଏ ଲେଖାଏଁ ମଶାଣି ଚୁଲା କରି ଲୋକଙ୍କ ସୁବିଧା କରିବାକୁ କିଏ ମନା କରୁଛି ଓ ସେ ନିଜେ ଏହି ବିଷୟରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ପଚାରି ବାରୁ ତାଙ୍କୁ ଉତ୍ତର ମିଳିଲା ଚର୍ତୁଦଶ ଅର୍ଥ କମିଶନରେ ଟଙ୍କା ନାହିଁ ଆସିଲେ ଦେଖିବା ? ଏବେ ଦେଖିବାକୁ ବାକି ଗଣ ମାଧ୍ୟମରେ ପ୍ରଚାର ପ୍ରସାର ପରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ନା ପୁଣି ସେଇ ଜରିପାଲ ଭରଷା ହେବ ଦେଖିବାକୁ ବାକି ରହିଲା |