(ମାନସ ପ୍ରଧାନ) : ତିତଲି ବାତ୍ୟା ପରେ ପରେ ଲାଗିରହିଛି ଲଗାଣା ବର୍ଷା, ବର୍ଷା ଯୋଗୁଁ ନୟାଗଡ଼ର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର କୁସୁମୀ, କୁଆଁରିଆ, ଡାହୁକା, ଲୁଣିଝରା ଓ ଡୁଆଣ୍ଟ ଆଦି ନଦୀରେ ପାଣି ଉଛୁଳୁଛି । ଫଳରେ ପାଖାପାଖି ଅଞ୍ଚଳରେ ଧାନ ବିଲରେ ପାଣି ଜମି ରହି ଫସଲ ନଷ୍ଟ ହେବା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତକାଲି ଓଡ଼ଗାଁ ସୁନାମୁହିଁ ଲଣ୍ଡାବାଦୁ ଗାଁର ଜଣେ ବୃଦ୍ଧ ବୋଦା ନଈରେ ଭାସିଯାଇ ମୃତ୍ୟୁ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି ।
ନୟାଗଡ ଜିଲ୍ଲାକୁ ମୂଖ୍ୟତଃ ଚାଷି ସମୂହ ଜିଲ୍ଲା ବୋଲି କୁହାଯାଏ, ଏହି ଜିଲ୍ଲାର ସମସ୍ତ ଲୋକ ପ୍ରାୟ ଚାଷ ଉପରେ ନିର୍ଭର କରିଥାନ୍ତି । ଚାଷରୁ ଦି ପଇସା ପାଇ ଗୁଜୁରାଣ ମେଣ୍ଟାଇ ଥାନ୍ତି । କିନ୍ତୁ ତିତଲି ପରେ ପରେ ଲଗାଣ ବର୍ଷା ପାଇଁ ନୟାଗଡ ଜିଲ୍ଲାର ସବୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଯାଇଛ । ଚାଷ ଜମି ଭିତରକୁ ପସିଯାଇଛି ପାଣି ଯାହା ଦ୍ୱାରା ଏକର ଏକର ଜମିରେ ଚାଷ ହୋଇଥିବା ଧାନ ଓ ଆଖୁ ବିପୁଳ ପରିମାଣରେ ନଷ୍ଟ ହୋଇଛି । ତା ସହ ବିଭିନ୍ନ ଅଞ୍ଚଳକୁ ଯୋଗଯୋଗ ବିଛିନ୍ନ ହେବାସହ କିଛି ଗରିବ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିବାର ଦେଖାଯାଇଛି । ନୟାଗଡ ଜିଲ୍ଲାର ସବୁ ବ୍ଲକର ବିଡିଓ ଗାଁ ଗାଁ ବୋଲି କ୍ଷୟକ୍ଷତିର ଆକଳନ କରିଛନ୍ତି ।