ରାଇରଙ୍ଗପୁରରେ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର

ରାଇରଙ୍ଗପୁର : ସାଂପ୍ରତିକ ପରିସ୍ଥିତିରେ ଅନଲାଇନ ଠକେଇ ସମାଜରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।ଡିଜିଟାଲ ଯେତେ ସହଜରେ ଆଗେଇ ଚାଲିଛି ସାଇବର ଠକ୍ ତା’କୁ ତାଳ ଦେଇ ସେତିକି ଚ୍ୟାଲେଞ୍ଜ କରୁଛି । ଡିଜିଟାଲ  ଡାଳେ ଡାଳେ ଗଲାବେଳେ ଅନ ଲାଇନ ଠକ୍ ପତରେ  ମାଡ଼ି ଚାଲିଛି । ବର୍ତମାନ ଡିଜିଟାଲ ଯୁଗରେ ସାଇବର ଠକେଇ ସମାଜ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ଜନତାର କଷ୍ଟ ଉପାର୍ଜିତ ସଂପତ୍ତି ଓ ଅର୍ଥ ଉପରେ ଲୋଲୁପ ଦୃଷ୍ଟି ରଖିଛନ୍ତି ସାଇବର ଠକ୍ । ତେଣୁ ଟିକେ ଅସାବଧାନ ହେଲେ ସବୁକିଛି ଲୁଟ ହୋଇଯିବ ଅନଲାଇନ ମାଧ୍ୟମରେ । ଆମ ମାନଙ୍କ ମଧ୍ୟରେ ଥିବା ଅତ୍ୟଧିକ ଲୋଭ, ମାଗଣା ପାଇବା,ଡରିବା ଯୋଗୁଁ ଆମେ ସାଇବର ଠକେଇର ଶିକାର ହେଉଛୁ।  ତେଣୁ ଫୋନ୍ କରି ଆମକୁ ଲୋଭ  ମାଗଣା ଓ ଭୟ ଦେଖାଇ  ଆଧାର ନମ୍ବର, ପାସବୁକ ନମ୍ବର, ଏଟିଏମ୍ ନମ୍ବର ମାଗିଲେ ଆମେ ଏଥିପ୍ରତି ସଚେତନ  ରହିବା ଆବଶ୍ୟକ। ସବୁଠାରୁ  ମୂଲ୍ୟବାନ କଥା ହେଲା ଓଟିପି ନମ୍ବର କାହାରିକୁ ଦେବ ନାହିଁ ।

ଦେବା ପୂର୍ବରୁ ୭ ଥର ଚିନ୍ତା କରିବ ।ବର୍ତମାନ ମାରାତ୍ମକ କରୋନା ଠାରୁ ଭୟଙ୍କର ସର୍ବନାଶକାରୀ ସାଇବର ଠକେଇକୁ ଲକ୍ଷ୍ୟକରି ଓଡ଼ିଶା ପୋଲିସ ଜନତାଙ୍କ ଧନ ଓ ଜନ ସୁରକ୍ଷାକୁ ଗୁରୁତ୍ଵ ଦେଇ ଅକ୍ଟୋବର ମାସରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଗତ ୨ ତାରିଖରୁ ଆରମ୍ଭ ହୋଇ  ଅକ୍ଟୋବର  ୧୫ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କୋଣ ଅନୁକୋଣ  ସାଇବର  ସୁରକ୍ଷା ସଚେତନତା ରଥ ଭ୍ରମଣ କରି ସାଧାରଣ ଜନତାଙ୍କୁ ସଚେତନ କରାଇବ ।ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସାଇବର ସଚେତନ ରଥ ପରିକ୍ରମା କରିବାକୁ ଥିବା ସହିତ ସଚେତନତା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି ମୟୂରଭଞ୍ଜ ପୋଲିସ।  ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର  ଆଦର୍ଶ  ଥାନା ପକ୍ଷରୁ ରାଇରଙ୍ଗପୁର ମହାବିଦ୍ୟାଳୟ  ପରିସରରେ ଏକ ସାଇବର ସଚେତନତା ସଭାର ଆୟୋଜନ ହୋଇଥିଲା। ଏଲିଡି ମାଧ୍ୟମରେ ମଧ୍ୟ ସଚେତନ କରାଯାଇଥିଲା । ଏଥିରେ  ଏସଡିପିଓ ଗୋକୁଳାନନ୍ଦ ସାହୁ ସଭାପତିତ୍ଵ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା,DSP -ଦଲାମଣି ଭୋଇ , ରାଇରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ କୁବେର ମହାନ୍ତ, ଅଧ୍ୟାପକ,ଅଧ୍ୟାପିକା, ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଅତିଥି ଗଣ ସାଇବର ସୁରକ୍ଷା ନେଇ ପ୍ରାଞ୍ଜଳ ଭାବରେ ବୁଝାଇଥିବା ବେଳେ ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜ ମନରେ ଉଙ୍କିଥିବା ପ୍ରଶ୍ନ ପଚାରି ସଠିକ ଉତ୍ତର ପାଇଥିଲେ ।