ଲକ୍ଷେ ଫୁଟ ଉଚ୍ଚତା ମହାକାଶରେ ବିବାହ ପାଇଁ ସ୍ୱତନ୍ତ୍ର ସ୍ପେସ୍ ବେଲୁନ୍ , ୨୦୨୪ରୁ ଆରମ୍ଭ ହେବ ଯାତ୍ରା
ମହାକାଶରେ ବିବାହ କରିବାକୁ ସ୍ୱପ୍ନ ଦେଖୁଥିବା ଦମ୍ପତିଙ୍କ ପାଇଁ ଖୁସି ଖବର । ସେମାନଙ୍କର ଏହି ସ୍ୱପ୍ନ ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି । ଆମେରିକା ଫ୍ଲୋରିଡାସ୍ଥିତ ଏକ କଂପାନି ସ୍ପେସ୍ ପର୍ସପେକ୍ଟିଭ୍ ଏଥିପାଇଁ ଏକ ସ୍ୱତନ୍ତ୍ର ସ୍ପେସ୍ ବେଲୁନ୍ ପ୍ରସ୍ତୁତ କରିଛି ।
(ଦିଲ୍ଲୀ) : ମହାକାଶରେ ବିବାହ କରିବାକୁ ସ୍ୱପ୍ନ ଦେଖୁଥିବା ଦମ୍ପତିଙ୍କ ପାଇଁ ଖୁସି ଖବର । ସେମାନଙ୍କର ଏହି ସ୍ୱପ୍ନ ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି । ଆମେରିକା ଫ୍ଲୋରିଡାସ୍ଥିତ ଏକ କଂପାନି ସ୍ପେସ୍ ପର୍ସପେକ୍ଟିଭ୍ ଏଥିପାଇଁ ଏକ ସ୍ୱତନ୍ତ୍ର ସ୍ପେସ୍ ବେଲୁନ୍ ପ୍ରସ୍ତୁତ କରିଛି । ସେଥିରେ ବସି ଲକ୍ଷେ ଫୁଟ ଉଚ୍ଚତାରେ ମହାକାଶରେ ବିବାହ କରିହେବ । ସେହି ବେଲୁନ୍ର ଆକାର ଏକ ଫୁଟବଲ ଷ୍ଟାଡିୟମ ଭଳି । ଥରେ ସେଥିରେ ଯାତ୍ରା କରିବା ଲାଗି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ୨୦୨୪ରୁ ଏଥିରେ ଯାତ୍ରା ଆରମ୍ଭ ହେବ ।
କଂପାନି ପକ୍ଷରୁ ଦାବି କରାଯାଇଛି ଯେ, ଅନେକ ଲୋକ ସ୍ପେସ୍ ବେଲୁନ୍ରେ ଯାତ୍ରା ପାଇଁ ବୁକିଂ କରିସାରିଲେଣି । ଜୁନ୍ ମାସ ଶେଷ ସପ୍ତାହରୁ ଏଥିପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ବୁକିଂ କରିଥିବା ଲୋକଙ୍କ ମଧ୍ୟରୁ ଅନେକ ବୁଲିବା ପାଇଁ ଏହାକୁ ବୁକ୍ କରିଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ବିବାହ ପାଇଁ ଏହାକୁ ବାଛିଛନ୍ତି । ସେହିପରି କର୍ପୋରେଟ୍ ଇଭେଣ୍ଟ ଓ ଜନ୍ମଦିନ ପାଳନ ପାଇଁ ବି ଏହାକୁ ବୁକ୍ କରିହେବ । ଏହି ସ୍ପେସ୍ ବେଲୁନ୍ରେ ଏକାଥରକେ ୮ ଜଣ ଲୋକ ଯାତ୍ରା କରିପାରିବେ । ଏଥିରେ ଯାତ୍ରାର ଅବଧି ମୋଟ ୬ ଘଣ୍ଟା ରହିବ । ଅବତରଣ ସମୟରେ ଏହା ପାଣିରେ ନିର୍ଦ୍ଧାରିତ ସ୍ଥାନରେ ଓହ୍ଲାଇବ । ସେଠାରୁ ଯାତ୍ରୀଙ୍କୁ ଲିଫ୍ଟ କରି ଜାହାଜରେ ଅଣାଯିବ ।
ଏହି ସ୍ପେସ ବେଲୁନ୍ରେ ଯାତ୍ରା କରିବା ଅତି ସୁରକ୍ଷିତ ଓ ଆରାମଦାୟକ ରହିବ । ଏଥିପାଇଁ କିଛି ସ୍ୱତନ୍ତ୍ର ପୋଷାକ ପିନ୍ଧିବାର ଆବଶ୍ୟକତା ନାହିଁ । ତେଣୁ ଯାତ୍ରା ସମୟରେ ଲୋକମାନେ ବିମାନରେ ବସିବା ଭଳି ଅନୁଭବ କରିବେ । ବେଲୁନ୍ରେ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ । ଗାଧୋଇବା ପାଇଁ ବାଥରୁମ୍ ସହ ବାର୍, ୱାଇଫାଇ ସୁବିଧା ମିଳିବ । ଯାତ୍ରା ସମୟରେ ଲୋକମାନେ ବିମାନ ଭଳି ଜଳଖିଆ ଓ କୋଲ୍ଡଡ୍ରିଙ୍କ୍ସ ଅର୍ଡର କରିପାରିବେ । ନିର୍ଦ୍ଧାରିତ ଉଚ୍ଚତାରେ ପହଞ୍ଚିବାପରେ ଚାରିପଟୁ ୭୨୫ କିମି ଦୂରତା ଯାଏ ଦେଖିହେବ । କଂପାନି ପକ୍ଷରୁ ଚଳିତବର୍ଷ ଜୁନ୍ ମାସରେ ଏହି ବେଲୁନ୍ର ଟେଷ୍ଟିଂ କରାଯାଇଥିଲା ।